
ସୁନ୍ଦରଗଡ଼, (କେପିଏନ୍ଏସ୍) : କିରନ ଏକ୍କାଙ୍କ ଘରେ ବିଦ୍ୟୁତ ସଂଯୋଗ । ଆନ୍ତର୍ଜାତୀୟ ହକି ଖେଳାଳି କିରନ ଏକ୍କାଙ୍କ ଘରେ ଏବେ ଜଳିଲା ଆଲୁଅ । ଦୀର୍ଘଦିନ ଧରି ବିଦ୍ୟୁତ ସଂଯୋଗରୁ ବଞ୍ଚିତ ଥିବା କିରନଙ୍କ ପରିବାରକୁ ମିଳିଛି ନୂଆ ଆଶ୍ୱାସନ । ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଲିମିଡା ଗ୍ରାମ ପଞ୍ଚାୟତର ଆଦିବାସୀ ଝିଅ କିରନ ଏକ୍କା ଆନ୍ତର୍ଜାତୀୟ ସ୍ତରରେ ହକି ଖେଳି ଦେଶ ଓ ଓଡ଼ିଶାର ଗୌରବ ବଢ଼ାଇଛନ୍ତି । ହେଲେ ଏତେ ବଡ଼ ସଫଳତା ପରେ ମଧ୍ୟ ତାଙ୍କ ନିଜ ଘର ଥିଲା ଅନ୍ଧାରରେ । ପରିବାର ଦୀର୍ଘଦିନ ଧରି ବିଦ୍ୟୁତ ସଂଯୋଗ ଅପେକ୍ଷାରେ ରହିଥିଲେ । ଏହି ଖବର ବୀରମିତ୍ରପୁର ବିଧାୟକ ରୋହିତ ଯୋସେଫ ତୀର୍କୀଙ୍କ ନଜରକୁ ଆସିବା ପରେ ସେ ତୁରନ୍ତ ପଦକ୍ଷେପ ନେଇଥିଲେ । ତାଙ୍କ ପ୍ରଚେଷ୍ଟାରେ କିରନଙ୍କ ଘରେ ମିଟର ଲଗାଯିବା ସହ ବିଦ୍ୟୁତ ସଂଯୋଗ କରାଯାଇଛି । ଏହାକୁ ନେଇ କିରନଙ୍କ ପରିବାରରେ ଖୁସିର ମାହୋଲ । ବିଭିନ୍ନ ସଂଗଠନ, କ୍ରୀଡ଼ାପ୍ରେମୀ ଓ ସାଧାରଣ ଲୋକେ ମଧ୍ୟ ବିଧାୟକଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଜଣେ ଆନ୍ତର୍ଜାତୀୟ ଖେଳାଳିଙ୍କ ଘରେ ବିଦ୍ୟୁତ ଆଲୁଅ ପହଞ୍ଚିବା ଘଟଣା କେବଳ ଏକ ସଂଯୋଗ ନୁହେଁ, ବରଂ ଜଣେ ପ୍ରତିଭାବାନ ଆଦିବାସୀ ଝିଅର ଜୀବନରେ ଆଶା ଓ ସ୍ୱପ୍ନର ନୂଆ ଆଲୁଅ ଜଳିବାର ଏକ ଉଦାହରଣ ।