
- ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଦିନକୁ ଦିନ ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ କୋରିଅର ପାର୍ସଲରେ ଚାଲିଥିଲା ଗଞ୍ଜେଇ ଚାଲାଣ । ଆଉ ଗଞ୍ଜେଇ ଚାଲାଣ ପାଇଁ ବ୍ୟବହାର ହୋଇଥିଲା ଜଣେ ଅତିରିକ୍ତ ଜଜଙ୍କ ଠିକଣା । ଭବାନୀପାଟଣାର ସେଫ୍ ଏକ୍ସପ୍ରେସ୍ କୋରିଅର ଗୋଦାମରେ ଚଢ଼ାଉ କରି ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ୩୨ଟି ପ୍ୟାକେଟରେ ଭର୍ତ୍ତି ଥିଲା ଗଞ୍ଜେଇ । ଆଉ ପ୍ୟାକେଟ ଗୁଡ଼ିକ ଯିବାର ଥିଲା ବୁଲନ୍ଦସହରର ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ ଠିକଣାକୁ । କିଏ ପଠାଇଥିଲା ? କାହିଁକି ଜଜଙ୍କ ଠିକଣା ବ୍ୟବହାର କରାଗଲା ? ଏବେ ଏସବୁର ଉତ୍ତର ଖୋଜୁଛି ଅବକାରୀ ବିଭାଗ । କୋରିଅର ଗୋଦାମର ସାଧାରଣ ପାର୍ସଲ ପ୍ୟାକେଟ ଭିତରେ ଲୁଚିଥିଲା ବେଆଇନ କାରବାରର ବଡ଼ ଚାଲାଣ । ଖବର ମିଳିବା ପରେ ଭବାନୀପାଟଣାସ୍ଥିତ ସେଫ୍ ଏକ୍ସପ୍ରେସ୍ କୋରିଅର ଗୋଦାମରେ ଚଢ଼ାଉ କରିଥିଲା ଅବକାରୀ ବିଭାଗ । ଯାଞ୍ଚ ବେଳେ ଗୋଟିଏ ପରେ ଗୋଟିଏ କରି ମିଳିଥିଲା ୩୨ଟି ଗଞ୍ଜେଇ ଭର୍ତ୍ତି ପ୍ୟାକେଟ୍ । ଜବତ ଗଞ୍ଜେଇର ପରିମାଣ ପ୍ରାୟ ୪୦୦ କେଜି ବୋଲି ବିଭାଗୀୟ ସୂଚନା । କିନ୍ତୁ ଏହି ଚାଲାଣର ସବୁଠାରୁ ବଡ଼ ରହସ୍ୟ ଲୁଚିଥିଲା ପାର୍ସଲର ଠିକଣାରେ । ପ୍ୟାକେଟଗୁଡ଼ିକ ବୁଲନ୍ଦସହରର ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ ଠିକଣାରେ ପଠାଯାଇଥିଲା । ହେଲେ କେଉଁଠୁ ଏହି ପ୍ୟାକେଟ ଆସିଥିଲା କିମ୍ବା ପ୍ରେରକଙ୍କ ଠିକଣା ନଥିଲା । ଘଟଣା ସମ୍ପର୍କରେ ତଦନ୍ତ ଚାଲିଛି । ଗଞ୍ଜେଇ କେଉଁଠାରୁ ଆସିଥିଲା, କିଏ ପଠାଇଥିଲା ଏବଂ ଏହି ଚାଲାଣ ପଛରେ କିଏ କିଏ ସମ୍ପୃକ୍ତ, ସେନେଇ ଖୋଳତାଡ଼ କରାଯାଉଛି । ପ୍ରଶ୍ନ ଏବେ ଅନେକ । ଅତିରିକ୍ତ ଜଜଙ୍କ ଠିକଣା କିଏ ଦେଲା ? କୋରିଅର ମାଧ୍ୟମରେ ଏତେ ପରିମାଣର ଗଞ୍ଜେଇ ପଠାଇବା ପଛରେ କିଏ ? ପ୍ୟାକେଟରେ ପ୍ରେରକଙ୍କ ଠିକଣା କାହିଁକି ନଥିଲା ? ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ଅବକାରୀ ବିଭାଗ । ଏହା କେବଳ ଏକ ଚାଲାଣ ନା ଏହା ପଛରେ ରହିଛି କୌଣସି ବଡ଼ ନେଟୱର୍କ—ତଦନ୍ତ ଆଗକୁ ବଢ଼ିଲେ ତାହା ସ୍ପଷ୍ଟ ହେବ । କୋରିଅର ପାର୍ସଲ ଅତିରିକ୍ତ ଜଜଙ୍କ ଠିକଣା ଆଉ ଭିତରେ ପ୍ରାୟ ୪୦୦ କେଜି ଗଞ୍ଜେଇ । ଏବେ ଅବକାରୀ ବିଭାଗ ସାମ୍ନାରେ ବଡ଼ ପ୍ରଶ୍ନ—ଏହି ଗଞ୍ଜେଇର ମାଲିକ କିଏ, ଆଉ ଅତିରିକ୍ତ ଜଜଙ୍କ ଠିକଣାକୁ ଚାଲାଣ କରିବାର ମାଷ୍ଟରମାଇଣ୍ଡ କିଏ ? ତଦନ୍ତର ପରବର୍ତ୍ତୀ ପର୍ଦ୍ଦା ଖୋଲିଲେ ହିଁ ସାମ୍ନାକୁ ଆସିବ ପୂରା ଚିତ୍ର । କେବେ ଏହି ଗଞ୍ଜେଇ ଚୋରା ଚାଲାଣର ପର୍ଦାଫାଶ କରିବ ଅବକାରୀ ବିଭାଗ ତାକୁହିଁ ଜିଲ୍ଲାବାସୀଙ୍କ ଅପେକ୍ଷା ।