
- ହାଇ ଜମ୍ପରେ ସ୍ୱର୍ଣ୍ଣ ପଦକ
ମ. ରାମପୁର (ପି. କେ. ସାହ) : ବିହାରର ପାଟନାଠାରେ ସେପ୍ଟେମ୍ବର ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ୩୭ତମ ପୂର୍ବ କ୍ଷେତ୍ରୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିଅନସିପ୍ରେ କଳାହାଣ୍ଡି ଜିଲ୍ଲାର ମ. ରାମପୁର ବ୍ଲକର ଝିଅ ରେଶ୍ମା ବେହେରା ଚମତ୍କାର ସଫଳତା ହାସଲ କରିଛନ୍ତି । ୧୬ ବର୍ଷରୁ କମ୍ ବର୍ଗର ହାଇ ଜମ୍ପ୍ରେ ରେଶ୍ମା ସ୍ୱର୍ଣ୍ଣ ପଦକ ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ମ. ରାମପୁର ବ୍ଲକ ଅଲାତରା ପଞ୍ଚାୟତ ଅନ୍ତର୍ଗତ ପେଣ୍ଡରା ଗ୍ରାମର ନୃପରାଜ ବେହେରା ଓ ବାସନ୍ତୀ ବେହେରାଙ୍କ ଝିଅ ରେଶ୍ମା । ସେ ଓଏଭି ମଦନପୁରରୁ କ୍ରୀଡ଼ା କ୍ଷେତ୍ରରେ ମନୋନୀତ ହୋଇ ବର୍ତ୍ତମାନ ଭୁବନେଶ୍ୱର ସ୍ପୋର୍ଟ୍ସ ହଷ୍ଟେଲରେ ରହି ଦଶମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । ରେଶ୍ମାଙ୍କ ଏହି ସଫଳତା ପଛରେ ଓଏଭି ମଦନପୁରର ପୂର୍ବତନ କ୍ରୀଡ଼ା ଶିକ୍ଷକ ମହେନ୍ଦ୍ର ବେଶ୍ରାଙ୍କ ମାର୍ଗଦର୍ଶନ ଓ ପ୍ରେରଣାକୁ ସେ କୃତଜ୍ଞତାର ସହ ସ୍ମରଣ କରିଛନ୍ତି । ତାଙ୍କ ଏହି ସଫଳତାରେ ଅଞ୍ଚଳବାସୀ, ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ କ୍ରୀଡ଼ା ପ୍ରେମୀମାନେ ରେଶ୍ମାଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ସେ ଜାତୀୟସ୍ତରରେ ମଧ୍ୟ ସଫଳତା ହାସଲ କରି ଅଞ୍ଚଳର ନାମ ଉଜ୍ଜ୍ୱଳ କରନ୍ତୁ ବୋଲି ଶୁଭକାମନା ଜଣାଇଛନ୍ତି ।