jayashree

ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ କେନ୍ଦ୍ରର ପ୍ରତ୍ୟାଖ୍ୟାନ

  • ଓଡିଶାରେ ଦ୍ୱିତୀୟ ଏମ୍ସ ଏକ ଭଣ୍ଡାମି ଥିଲା : ହେମନ୍ତ ପଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୨ ବର୍ଷ ତଳେ ତଥା ୨୦୨୪ ମସିହା ସେପ୍ଟେମ୍ବର ୮ ଦିନ ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟର ଦ୍ୱିତୀୟ ଏମ୍ସ ସମ୍ବଲପୁରରେ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଥିଲେ । ସମଗ୍ର ଓଡିଶାରେ ଏହାକୁ ନେଇ ଆନନ୍ଦ ପ୍ରକାଶ ପାଇଥିଲା । ଦୀର୍ଘ ୨ ବର୍ଷ ପରେ ଏହାର ବର୍ତ୍ତମାନ ସ୍ଥିତି ଓ ଅଗ୍ରଗତିକୁ ନେଇ ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାରୀ କର୍ମୀ ହେମନ୍ତ କୁମାର ପଣ୍ଡା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ସବିଶେଷ ତଥ୍ୟ ମାଗିଥିଲେ । ରାଜ୍ୟ ସରକାରଙ୍କ ବିଭାଗୀୟ ଜନ ସୂଚନା ଅଧିକାରୀ ତଥା ସରକାରଙ୍କ ଉପସଚିବ ଗତ ୨୫ ସେପ୍ଟେମ୍ବର ଦିନ ଶ୍ରୀ ପଣ୍ଡାଙ୍କୁ ତଥ୍ୟ ପ୍ରଦାନ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପତ୍ରର ନକଲ ଓ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀ୍ଙ୍କୁ ପତ୍ରର ନକଲ ଶ୍ରୀ ପଣ୍ଡାଙ୍କ ହସ୍ତଗତ ହୋଇଛି । ତଥ୍ୟରୁ ଜଣାପଡିଛି ଯେ, ୨୦୨୪ ମସିହା ଅଗଷ୍ଟ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ଓ ସାରର ସାୟନ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କୁ ପତ୍ର ମାଧ୍ୟମରେ ରାଜ୍ୟର ଦ୍ୱିତୀୟ ଏମ୍ସ ସମ୍ବଲପୁରରେ ପ୍ରତିଷ୍ଠା କରିବା ପାଇଁ ନିବେଦନ କରିଥିଲେ । ପତ୍ରରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ରାଜ୍ୟର ଜନସଂଖ୍ୟା ୪.୬ କୋଟି ଥିଲେ ମଧ୍ୟ ରାଜ୍ୟରେ ଏକମାତ୍ର ଏମ୍ସ ଭୂବନେଶ୍ୱର ରହିଛି । ଏହି ପମୁଖ ସ୍ୱାସ୍ଥ୍ୟ ସଂସ୍ଥାନକୁ ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ କାର୍ଯ୍ୟକ୍ଷମ କରାଯାଇଥିଲା । ଏଠରେ ଓଡିଶା ସମେତ ପଡୋଶୀ ପଶ୍ଚିମବଙ୍ଗ ଓ ଆନ୍ଧ୍ର ପ୍ରଦେଶର ଲୋକମାନେ ସ୍ୱାସ୍ଥ୍ୟ ସେବା ପାଉଛନ୍ତି । ତେଣୁ ଆଉ ଏକ ଏମ୍ସର ଆବଶ୍ୟକତା ଓଡିଶାର ସମ୍ବଲପୁରରେ ରହିଛି । ଏହାଦ୍ୱାରା ପଶ୍ଚିମ ଓଡିଶା ସମେତ ଛତିଶଗଡ ଓ ଝାରଖଣ୍ଡର ଲୋକେ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପାଇ ପାରିବେ । କିନ୍ତୁ ୨୦୨୪ ଅକ୍ଟୋବର ୨୩ରେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଜେ. ପି. ନଡ୍ଡା ମୁଖ୍ୟମନ୍ତ୍ର ମାାଝିଙ୍କୁ ଉତ୍ତର ଦେଇଥିଲେ ଯେ, ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ଓଡିଶାର ଭୁବନେଶ୍ୱର ଠାରେ ଏକ ଏମ୍ସ ନିର୍ମାଣ କରାଯାଇଛି ଏବଂ ବାଲେଶ୍ୱର ଠାରେ ଏହାର ଏକ ସାଟେଲାଇଟ ସେଣ୍ଟର ମଧ୍ୟ ସ୍ଥାପନ କରାଯାଇଛି । ରାଜ୍ୟର ତିନୋଟି ମେଡିକାଲ କଲେଜ ଯଥା- ବ୍ରହ୍ମପୁର, କଟକ ଓ ବୁର୍ଲାରେ ସୁପର ସ୍ପେଶାଲିଟି ବ୍ଲକ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ପ୍ରତିଷ୍ଠା କରିବା ପାଇଁ ମଞ୍ଜୁର କରାଯାଇଛି । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କର ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମିକୁ ଉନ୍ନତ କରିବା ପାଇଁ କାର୍ଯ୍ୟ କରାଯାଉଛି । ଯଦି ରାଜ୍ୟ ସରକାର ଏସମ୍ପର୍କରେ କିିଛି ପ୍ରସ୍ତାବ ଦେବେ ତାହେଲେ ଆନନ୍ଦର ସହ କେନ୍ଦ୍ର ସହାୟତା ଯୋଗାଇ ଦେବ ବୋଲି ଉଲ୍ଲେଖ କରାଯାଇଛି ବୋଲି ସୂଚନା କର୍ମୀ ଶ୍ରୀ ପଣ୍ଡା କହିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ପତ୍ରରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିବା ସମ୍ବଲପୁର ଏମ୍ସ ସମ୍ପର୍କରେ ପଦଟିଏ ମଧ୍ୟ ଉଲ୍ଲେଖ କରି ନଥିବା ଶ୍ରୀ ପଣ୍ଡା କହିଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ତଥା ପତ୍ରର ମୁଖ୍ୟ ବିଷୟବସ୍ତୁ ଏମ୍ସ ପ୍ରତିଷ୍ଠାକୁ ପ୍ରତ୍ୟାଖ୍ୟାନ କରାଯାଇଛି । ସୂଚନା ଅଧିକାର ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ, ଏହା ଓଡିଶା ବାସୀଙ୍କୁ ଏକ ମହା ଭଣ୍ଡାମି ଥିଲା ବୋଲି ସୂଚନା କର୍ମୀ ଶ୍ରୀ ପଣ୍ଡା କହିଛନ୍ତି । ରାଜ୍ୟରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ନେଇ ଡବଲ ଇଞ୍ଜିନ ସରକାରର ଦୁଇ ଇଞ୍ଜିନ ଫେଲ ମାରଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ତୁରନ୍ତ କେନ୍ଦ୍ର ସରକାର ଏଦିଗରେ ବିଚାର କରିବାକୁ ଶ୍ରୀ ପଣ୍ଡା ଦାବୀ କରିଛନ୍ତି ।

Leave A Reply

Your email address will not be published.