
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନାଗରିକ କମିଟିର କାର୍ଯ୍ୟକାରୀ କମିଟି ବୈଠକ କମିଟିର ସଭାପତି ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ସାଧାରଣ ସଂପାଦକ ମଧୁସୂଦନ ନାୟକ ଗତ ଅଧିବେଶନର ବିବରଣୀ ପାଠ କରିଥିଲେ । ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ସଭାପତି ଡ. ମିଶ୍ର ନାଗରିକ କମିଟିର ରିନୁୱାଲ କାର୍ଯ୍ୟ ସଂପର୍କରେ ଦର୍ଶାଇବା ସହିତ ଏହା ଶେଷ ପର୍ଯ୍ୟାୟରେ ପହଂଚିଥିବା ସୂଚନା ପ୍ରଦାନ କରିଥିଲେ । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଉତ୍ତମମାନର ଶିକ୍ଷାଦାନ, ସମସ୍ତ କର୍ମଚାରୀ ନିଯୁକ୍ତି ଓ ଜମି ରେକର୍ଡ ସମ୍ପର୍କରେ ଆଲୋଚନା କରିବା ପାଇଁ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଭାଇସ ଚାନ୍ସସିଲର ନିକଟକୁ ଯିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ନାଗରିକ କମିଟିର ଚାପରେ ସରକାର ବଲାଙ୍ଗିର ସ୍ଥିତ ଆୟୁର୍ବେଦିକ ଫାର୍ମାସିକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ୬୦ଲକ୍ଷ ଟଙ୍କା ଦେଇଛନ୍ତି । ଏହାକୁ ଆବଶ୍ୟକୀୟ ଅନୁଦାନ ଓ କର୍ମଚାରୀ ଯୋଗାଇ ଦେବାକୁ ସରକାରଙ୍କୁ ଅନୁରୋଧ କରିବା ପାଇଁ ଆୟୁର୍ବେଦ ଫାର୍ମାସିକୁ ଯାଇ ପୁଣି ଥରେ ଆଲୋଚନା କରିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା । ପ୍ରତିନିଧି ମଣ୍ଡଳୀ ସହିତ ଏ କାର୍ଯ୍ୟ ସଂପାଦନ କରିବାକୁ ଡ. ପ୍ରମୋଦ ମିଶ୍ରଙ୍କୁ ଦାୟିତ୍ୱ ଅର୍ପଣ କରାଗଲା । ଜିଲ୍ଲା ସଦର ମହକୁମା ହସ୍ପିଟାଲ ଓ ଭୀମଭୋଇ ମେଡିକାଲ କଲେଜକୁ ସଂଯୋଗ କରି ଟାଉନ ବସ ପ୍ରଚଳନ କରିବା ପାଇଁ ଟ୍ରାନ୍ସପୋର୍ଟ ବିଭାଗ ସହିତ ଆଲୋଚନା କରି ନାଗରିକ କମିଟି ପତ୍ର ପ୍ରେରଣ କରିଛି । ଏହା ଉପରେ ଟ୍ରାନ୍ସପୋର୍ଟ ବିଭାଗ କୌଣସି ପଦକ୍ଷେପ ଅଦ୍ୟାବଧି ଗ୍ରହଣ କରିନାହିଁ । ପୁଣି ଥରେ ବିଭାଗ ସହିତ ଆଲୋଚନା କରି ଏବଂ କାର୍ଯ୍ୟ ନ ହେଲେ ପ୍ରତି ସପ୍ତାହରେ ଥରେ ଲେଖାଏଁ ରିମାଇଣ୍ଡର ଦେବାକୁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ସହରରେ ଡିଜେ ଜନିତ ଆତଙ୍କ ସୃଷ୍ଟି ହେଉଛି । ଡିଜେର ଉଚ୍ଚ ଶବ୍ଦ ସ୍ୱାସ୍ଥ୍ୟ ପକ୍ଷରେ ହାନିକାରକ ହେଉଥିବା ବେଳେ ଏହି ଶବ୍ଦ ମାଟିକୁ ଥରେଇ ଦେଉଥିବା କେତେକ ସଦସ୍ୟ ଅଭିଯୋଗ କରିଥିଲେ । ସୁତରାଂ ସାମାଜିକ ଉତ୍ସବ ଓ ଶୋଭାଯାତ୍ରା ମାନଙ୍କରେ ଡିଜେ ବନ୍ଦ କରିବା ପାଇଁ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ସମସ୍ତ ଥାନାଧିକାରୀମାନଙ୍କୁ ଅନୁରୋଧ କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଶେଷରେ ସଂପାଦକ ମଧୁସୂଦନ ନାୟକ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।