
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀ ଜାତୀୟ ବିଜ୍ଞାନ ସେମିନାର ପାଇଁ ମନୋନୀତ ହୋଇଛନ୍ତି । ଭାରତୀୟ ଶକ୍ତି ଭଣ୍ଡାର-୨୦୪୭, ସମ୍ଭାବନା ଏବଂ ଆହ୍ୱାନ ଉପରେ ଦଶମ ଶ୍ରେଣୀ ଛାତ୍ରୀ ସୌମ୍ୟଶ୍ରୀ ଥନାପତି ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାରରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ସେମିନାରରେ ଭାଗ ନେବା ପାଇଁ ମନୋନୀତ ହୋଇଥିଲେ । ଏହି କ୍ରମରେ ଭୁବନେଶ୍ୱର ସ୍ଥିତ ରିଜିଓନାଲ ସାଇନ୍ସ ସେଣ୍ଟରରେ ଅନୁଷ୍ଠିତ ହୋଇଥିବା ଓଡ଼ିଶା ରାଜ୍ୟସ୍ତରୀୟ ବିଜ୍ଞାନ ସେମିନାରରେ ସେ ଅଂଶ ଗ୍ରହଣ କରିଥିଲେ । ଏଥିରେ ମଧ୍ୟ ସୌମ୍ୟଶ୍ରୀ ଉତ୍ତମ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ହାସଲ କରିଥିଲେ । ଫଳରେ ଆସନ୍ତା ଅକ୍ଟୋବର ୩୦ ତାରିଖରେ ନେସନାଲ୍ ସାଇନ୍ସ ସେଣ୍ଟର୍ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ବିଜ୍ଞାନ ସେମିନାରରେ ଭାଗ ନେବା ପାଇଁ ସେ ମନୋନୀତ ହୋଇଛନ୍ତି । ଯାହା ଫଳରେ ସୌମ୍ୟଶ୍ରୀ ସାରା ବଲାଙ୍ଗିର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଏନେଇ ଝାରମୁଣ୍ଡା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷା ଡ ଜ୍ୟୋତିର୍ମୟୀ ପଧାନଙ୍କ ସମେତ ସମସ୍ତ ଶିକ୍ଷକ/ ଶିକ୍ଷୟିତ୍ରୀ ଓ ଅଭିଭାବକ ମହଲରେ ଆନନ୍ଦ ପ୍ରକାଶ ପାଇଛି । ଏଥିସହିତ ସୌମ୍ୟଶ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ଜାତୀୟ ସେମିନାରରେ ମଧ୍ୟ ଉତ୍ତମ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।