
- କଟକ ଦଳ ୬-୦ ଏବଂ ଖୋର୍ଦ୍ଧା ଦଳ ୯-୨ ଗୋଲରେ ବିଜୟୀ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଗାନ୍ଧି ଷ୍ଟାଡିୟମ୍ ଠାରେ ଓଡ଼ିଶା ଫୁଟବଲ ଏସୋସିଏସନ୍, କ୍ରୀଡା ଯୁବ ବ୍ୟାପାର ଓଡ଼ିଶା ସରକାର ଓ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ସଂଘର ମିଳିତ ସହଯୋଗରେ ଅନୁଷ୍ଠିତ ହେଉଥିବା ୬୫ ତମ ସାହାଣୀ କପ୍ ଫୁଟବଲ୍ ଲିଗ୍ ତୃତୀୟ ଦିବସର ପ୍ରଥମ ମ୍ୟାଚ୍ କଟକ ଓ ଗଞ୍ଜାମ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମା’ ସୁରେଶ୍ଵରୀଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରି ଖେଳ ଆରମ୍ଭ କରାଯାଇଥିଲା ବେଳେ ଖେଳକୁ ଅତିଥି ଭାବରେ ଜିଲ୍ଲା ଅଗ୍ନିଶମ ବିଭାଗ ଅଧିକାରୀ ଭବେନ୍ଦ୍ର ନାଥ ଦେ, ସିଡିଏମ୍ପିଏଚ୍ଓ ଉଷାରାଣୀ ଦାଶ ଓ ବୀରମହାରାଜପୁର ବ୍ଲକ୍ ଉପାଧ୍ୟକ୍ଷ ନାରାୟଣ ଲୁହା ଯୋଗଦେଇ ମ୍ୟାଚକୁ ଶୁଭ ଉଦ୍ଘାଟନ କରି କୃତି ଖେଳାଳିଙ୍କୁ ପୁରସ୍କୃତ କରିଥିଲେ । କଟକ ଦଳ ୬-୦ ଗୋଲରେ ବିଜୟୀ ହୋଇଥିବା ବେଳେ ଦଳର ୭ ନମ୍ବର୍ ଜର୍ସି ଗଣେଶ ସେଠୀ ୫ ମିନିଟରେ ପ୍ରଥମ ଗୋଲ, ୨୯ ମିନିଟ୍ରେ ଦ୍ୱିତୀୟ ଗୋଲ, ୫୬ ମିନିଟ୍ରେ ତୃତୀୟ ଗୋଲ ଓ ୭୮ ମିନିଟ୍ରେ ଚତୁର୍ଥ ଗୋଲ ସ୍କୋର କରି ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ ହୋଇଥିଲେ । ୧୭ ନମ୍ବର ଜର୍ସି ଭେଙ୍କଟେଶ ଓରାମ ପଞ୍ଚମ ଗୋଲ ସ୍କୋର କରିଥିବା ବେଳେ ୮୯ ମିନିଟ୍ରେ ପିଣ୍ଟୁ ଶାନ୍ତା ଷଷ୍ଠ ଗୋଲ ସ୍କୋର କରିଥିଲେ । ପ୍ରଥମ ମ୍ୟାଚକୁ ଅରୁଣ ନାୟକ, ଅଶ୍ୱିନୀ ସାହୁ, ରତ୍ନାକର ସୁରେନ୍, ସୁମିତ୍ ମହାଲିଂ ଓ ଜୋନ୍ କମିଶନର ନବୀନ ନାୟକ ପରିଚାଳନା କରିଥିଲେ । ଖେଳ ଆରମ୍ଭ ପୂର୍ବରୁ ଓଡ଼ିଶା ଫୁଟବଲ୍ ଦଳରୁ ଖେଳିଥିବା ଓଡ଼ିଶା ତଥା ଜାତୀୟ ସ୍ତରର ଖେଳାଳି ଭେଙ୍କଟ ରାଓଙ୍କ ଅକାଳ ବିୟୋଗରେ ଶୋକ ପାଳନ କରାଯାଇଥିଲା । ସେହିପରି ଆଜିର ଦ୍ୱିତୀୟ ମ୍ୟାଚ୍ ଖୋର୍ଦ୍ଧା ଓ ପୁରୀ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଫାଓ ର ରେଫରି ଦେବାଶିଷ ବାଗ, ଧନେଶ୍ୱର ସର୍ଦ୍ଦାର, ନୀତିଶ ମାଝୀ, ସୁମିତ ମହାଲିଙ୍ଗ ଓ ମ୍ୟାଚ୍ କମିସନର ଭାବେ ନବୀନ ନାୟକ ପରିଚାଳନା କରିଥିଲେ । ଖୋର୍ଦ୍ଧା ଦଳ ୯-୨ ଗୋଲରେ ବିଜୟୀ ହୋଇଥିବା ବେଳେ ୨୦ ନମ୍ୱର୍ ଜର୍ସି ଜଳନ୍ଧର ନାଏକ ୩ ଟି ଗୋଲ ସ୍କୋର କରି ଦ୍ୱିତୀୟ ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ । ୧୯ ନମ୍ବର୍ ଜର୍ସି ସୁଶୀଲ ପାତ୍ର ୨ ଗୋଟି ଗୋଲ ସ୍କୋର କରିଥିଲେ । ସେହିପରି ଚନ୍ଦନ ନାଏକ, ଅସୀମ ଦୁମଦୁମ୍ ଗ୍ୟସୁଦିନ ଖାଁ, ମୁସ୍ତାକିନ ଖାଁ, ଗୋଟାଏ ଲେଖାଏଁ ସ୍କୋର କରିଥିଲେ । ପୁରୀ ଦଳ ବିଷ୍ଣୁ ପ୍ରତାପ ନାଏକ୍ ଓ ନାରାୟଣ ମାର୍ଦି ଗୋଟାଏ ଲେଖାଏଁ ସ୍କୋର କରିଥିଲେ । ପ୍ରଥମ ମ୍ୟାଚ୍ରେ ୪ ଟି ଗୋଲ ସ୍କୋର କରିଥିବା ଗଣେଶ ସେଠି ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଗ୍ରହଣ କରିଥିଲେ । ଓଡ଼ିଶା ଫୁଟବଲ ଏସୋସିଏସନ୍, କ୍ରୀଡା ଯୁବ ବ୍ୟାପାର ବିଭାଗ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ଆଜିର ଏହି ମ୍ୟାଚ୍ ଉଦ୍ଘାଟନୀ ଓ ପୁରସ୍କାର ବିତରଣୀ ସଭାକୁ ଅଧ୍ୟାପକ ମଦନ ସୁନ୍ଦର ଖେତି ଓ କ୍ରୀଡା ସଂଘ ସଦସ୍ୟ ମନୋରଞ୍ଜନ ତ୍ରିପାଠୀ, ସଞ୍ଜୟ ସାହୁ ପରିଚାଳନା କରିଥିବା ବେଳେ କ୍ରୀଡ଼ା ସଂଘ ସଦସ୍ୟ ଦିଗାମ୍ବର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଆୟୋଜକ କମିଟିର ପୀୟୂଷ ପଣ୍ତା, ଭୁକୁଲୁ ବକ୍ସି, ବିକାଶ ପଣ୍ତା, ସନ୍ତୋଷ ପାଢ଼ୀ, ବିକାଶ ପାଢ଼ୀ, ସୁବାଷ ବିଶ୍ଵାଳ, ରିପୁନ ନାଏକ, ରାଜୀବ ସାହୁ, ଅନିଲ ସାହୁ, ରାଜୀବ ପଟ୍ଟନାୟକ, ବିକାଶ ପାଢୀ, ରଞ୍ଜିତ ସାହୁ, ସୁମନ୍ ମିଶ୍ର ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।