jayashree

“ଏକ ପେଡ ମା’ କେ ନାମ” ଆଧାରରେ ରୋପିତ ବୃକ୍ଷର ଲୋକାର୍ପଣ ଅନୁଷ୍ଠିତ

ଆଗଲପୁର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ସ୍ଥିତ ଛେଲିଆପାଟ ନୋଡାଲ ହାଇସ୍କୁଲ ପରିସରରେ ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ବିଭାଗ ଦ୍ୱାରା ପ୍ରାୟୋଜିତ “ଏକ ପେଡ ମା’ କେ ନାମ” ଆଧାରରେ ରୋପିତ ବୃକ୍ଷର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁଶାନ୍ତ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଆଗଲପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ୟାମ ମେହେର ମୁଖ୍ୟ ଅତିଥି ଏବଂ ଭରସୁଜା କ୍ଲଷ୍ଟର ସିଆରସିସି ରମେଶ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଉଲ୍ଲେଖ ଯୋଗ୍ୟ ଯେ, “ଏକ ପେଡ ମା’ କେ ନାମ” ପ୍ରଥମ (୧.୦)ପର୍ଯ୍ୟାୟ ଆଧାରରେ ଇକୋ କ୍ଲବ ଭାରପ୍ରାପ୍ତ ଶିକ୍ଷକ ପ୍ରକୃତି ବନ୍ଧୁ ଆନନ୍ଦ କୁମାର ସାହୁ ବିଦ୍ୟାଳୟ ପରିସରରେ ୨୯୨୪ ଜୁଲାଇରେ ଏକ ବଉଳ ଚାରା ଗଛ ରୋପଣ କରିଥିଲେ । ଏବେ ସେ ସେବା ନିବୃତ୍ତ ହୋଇଥିବାରୁ ବାଳ ପାଦପର ସୁରକ୍ଷା ସକାଶେ ନିଜସ୍ୱ ପ୍ରୟାସରେ ଧାତବ ବାଡ଼ ଯୋଗାଇ ଦେବା ସହ ତାହାର ଯତ୍ନ ଓ ସୁରକ୍ଷା ବଜାୟ ରଖିବା ପାଇଁ ସମବେତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିବେଦନ କରିଛନ୍ତି । ଏହି ଅବସରରେ ଇକୋ କ୍ଲବ ଭାରପ୍ରାପ୍ତ ଶିକ୍ଷୟିତ୍ରୀ ସ୍ନିଗ୍ଧାରାଣୀ ସାହୁ ସ୍ୱାଗତ ବକ୍ତବ୍ୟ ଦେଇଥିବା ବେଳେ ସହକାରୀ ଶିକ୍ଷକ ଦିଲ୍ଲୀପ ଡାଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟ ଇକୋ କ୍ଲବ, ଏନ୍‌ସିସି ଓ ଜୁନିୟର ରେଡକ୍ରସ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave A Reply

Your email address will not be published.