ସଇଁନ୍ତଲା ବ୍ଲକରେ କର୍ମଚାରୀ ମରୁଡ଼ି : ୬ଟି ପଞ୍ଚାୟତ ୨ଟି ଲେଖାଏଁ ପଞ୍ଚାୟତରେ ଜଣେ ଲେଖାଏଁ ଇଓ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗ୍ରାମ ପଞ୍ଚାୟତ ଉନ୍ନତିରେ ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ(ପିଇଓ)ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର କେତେକ ପିଇଓଙ୍କୁ ଏକାଧିକ ପଞ୍ଚାୟତ ଦାୟିତ୍ୱ ଦେବା ଫଳରେ ଉନ୍ନୟନ କାମ ବାଧାପ୍ରାପ୍ତ ହେଉଛି । ସୂଚନା ଅନୁଯାୟୀ ସଇଁନ୍ତଲା ବ୍ଳକରେ ମୋଟ ୨୨ଟି ପଞ୍ଚାୟତରେ ୨୨ଜଣ କାର୍ୟ୍ୟନିର୍ବାହୀ ଅଧିକାରୀ(ପିଇଓ) ରହିବା କଥା, କିନ୍ତୁ ବର୍ତ୍ତମାନ ୧୬ଜଣ ଅଛନ୍ତି । ଫଳରେ ୬ ଜଣ ପିଇଓଙ୍କୁ ୨ଟି ଲେଖାଏଁ ପଞ୍ଚାୟତ ଦାୟିତ୍ୱ ଦିଆଯାଇ ଥିବାବେଳେ ୧୦ ଜଣ ଗୋଟିଏ ଗୋଟିଏ ପଞ୍ଚାୟତ ଦାୟିତ୍ୱରେ ଅଛନ୍ତି ।ଆମ୍ବପାଲି ଓ ଡୁଙ୍ଗୁରିପାଲି ପଞ୍ଚାୟତରେ ସୁନୀଲ ପଧାନ, ବେଲଗାଁ ଓ ଶିଷକେଲାରେ ଦୁଃଖବନ୍ଧୁ ରଣା, ଭଦ୍ରାରେ ସତ୍ୟପ୍ରିୟ ସାହୁ, ବିବିନା ଓ ସଇଁନ୍ତଳାରେ ଖଗେଶ୍ବର କମ୍ପ, ବୁଢ଼ାବାହାଲ ଓ କେରମେଲିରେ ରୁଦ୍ରଧର ବାଗ, ଡେଙ୍ଗରେ ଅକ୍ଷୟ ମହାନ୍ତି, ଧରପଗଡ଼ରେ କୁଞ୍ଜବିହାରୀ ପଟେଲ, ଗଣ୍ଡପତ୍ରାପାଲିରେ ଭୀଷ୍ମଷ୍ଣୁ କୁମ୍ଭାର, ଘୁନସର ଓ କରମତଲାରେ ପଦ୍ମକାନ୍ତ ପାଣିଗ୍ରାହୀ, ଝିଙ୍କିଡୁଙ୍ଗୁରିରେ ସଞ୍ଜୟ କୁମାର ମହାନନ୍ଦ, ଜୁରାବନ୍ଦରେ ରୁନ୍ଦ୍ରାକ୍ଷ ଥପା, କନ୍ଦକେଲଗାଁରେ ଆନନ୍ଦ ପଧାନ, କଅଁସରରେ ଶରତ ଚନ୍ଦ୍ର ସାହୁ, କୁଇକେଡାରେ କଳ୍ପନା ବେହେରା, କୁମ୍ଭାରୀ ଓ ତାଲବାହାଲରେ ରହିମ ପଧାନ ଓ ଟିକ୍ରାପଡା ପଞ୍ଚାୟତରେ ଜନାର୍ଦ୍ଧନ ଯୋଶୀ ଦାୟିତ୍ୱରେ ଥିବାବେଳେ ଦୀର୍ଘ ଦିନ ହେଲା ଏହି ବ୍ଳକରେ ଗ୍ରାମରୋଜଗାର ସେବକ(ଜିଆରଏସ) ମାନେ ମଧ୍ୟ ଦୁଇଟି ପଞ୍ଚାୟତ ଦାୟିତ୍ୱରେ ରହିଛନ୍ତି । ତେବେ ଦୁର୍ନୀତି ମଧ୍ୟ ବଢିବାରେ ଲାଗିଛି । କିଛି ପଞ୍ଚାୟତରେ ଲକ୍ଷ ଲକ୍ଷ ଟଙ୍କା ହେରଫେର ହେଉଥିବା ବେଳେ ଦୁଇଟି ପଞ୍ଚାୟତରେ ଜଣେ ଲେଖାଏଁ ପିଇଓ ଦାୟିତ୍ୱରେ ଥିବା ଦୁର୍ନୀତିକୁ ଆହୁରି ପ୍ରଶ୍ରୟ ଦେଉଥିବା ଆଲୋଚନା ହେଉଛି । ତେଣୁ ବିକାଶ ଧାରାକୁ ସ୍ୱଚ୍ଛ ଓ କ୍ଷୀପ୍ର କରିବା ପାଇଁ ପ୍ରତି ପଞ୍ଚାୟତରେ ଜଣେ ଲେଖାଏଁ ପିଇଓ ଓ ଜିଆରଏସ ଏବଂ ବ୍ଲକରେ ଖାଲି ପଡିଥିବା ଅନ୍ୟାନ୍ୟ ଅଧିକାରୀ ନିଯୁକ୍ତି କରାଯିବା ପାଇଁ ସାଧାରଣରେ ଦାବି ହେଉଛି । ତେବେ ଏନେଇ ସଇଁନ୍ତଲା ବିଡ଼ିଓ ଦେବାଶିଷ ସାମଲଙ୍କୁ ପଚାରିବାରୁ ଜିଲ୍ଲା ପ୍ରଶାସନ ପାଖରେ ଏ ବିଷୟ ଜଣାଇବି ବୋଲି କହିଛନ୍ତି ।

Leave A Reply

Your email address will not be published.