
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ସ୍ଥଳଭାଗ ଛୁଇଁଛି । ଗତକାଲି (୨୩ ସେପ୍ଟେମ୍ବର, ୨୦୨୬) ରାତି ପ୍ରାୟ ୧୧:୩୦ ମିନିଟରେ ଏହା ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି । ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଲ୍ୟାଣ୍ଡଫଲ୍ ସମୟରେ ପବନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୫୫ ରୁ ୬୫ କିଲୋମିଟର ରହିଥିଲା, ଯାହା ପରବର୍ତ୍ତୀ ସମୟରେ ୭୫ କି. ମି. ପର୍ଯ୍ୟନ୍ତ ଛୁଇଁଥିଲା । ବର୍ତ୍ତମାନର ସ୍ଥିତି ଓ ପ୍ରଭାବ ଗତିପଥ : ସ୍ଥଳଭାଗ ଛୁଇଁବା ପରେ ଏହି ସିଷ୍ଟମ୍ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ଏବଂ ଆଗାମୀ ସମୟରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରି ଦେଇ ଛତିଶଗଡ଼ ଆଡ଼କୁ ଅଗ୍ରସର ହେବ । ପ୍ରବଳ ବର୍ଷା : ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି । ଯାହାଦ୍ୱାରା କେତେକ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି । ସତର୍କତା ଓ ସେବା : ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି । ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ଓଡ୍ରାଫ୍ ଓ ଉଦ୍ଧାରକାରୀ ଦଳ ମୁତୟନ ଅଛନ୍ତି ଏବଂ ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।