
ବଲାଙ୍ଗିର, (କେପିଏନ୍ଏସ୍) : ଭାଇଚାରା, ଏକତା ଓ ସାମୂହିକ ଉଦ୍ୟମର ନିଆରା ଉଦାହରଣ ପାଲଟିଛି ବଲାଙ୍ଗିର ଜିଲ୍ଲାର ତମିଆଁ ଗାଁ । ଗାଁରେ ଧୁମଧାମରେ ପାଳିତ ହେଉଛି ୩୮ତମ ଗଣେଶ ପୂଜା । ଦୀର୍ଘ ୩୮ ବର୍ଷ ଧରି ଚାଲିଆସିଥିବା ଏହି ପରମ୍ପରା ଆଜି ଗ୍ରାମବାସୀଙ୍କ ଏକତାର ପରିଚୟ ପାଲଟିଛି । ଗଣେଶ ପୂଜାକୁ ନେଇ ସାରା ଗାଁରେ ଦେଖିବାକୁ ମିଳୁଛି ଉତ୍ସାହ ଓ ଉଦ୍ଦୀପନା । ବିଶେଷକରି ଗାଁର ଯୁବଗୋଷ୍ଠୀଙ୍କ ସାମୂହିକ ପ୍ରୟାସରେ ପ୍ରତିବର୍ଷ ଆୟୋଜିତ ହେଉଛି ଏହି ପୂଜା । ପୂଜା ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକୁଛି ତମିଆଁ ଗାଁ । କେବଳ ଗ୍ରାମବାସୀ ନୁହନ୍ତି, ଆଖପାଖ ଅଞ୍ଚଳର ଲୋକେ ମଧ୍ୟ ପୂଜାରେ ସହଯୋଗ କରୁଛନ୍ତି । ଭକ୍ତି ଓ ଆନନ୍ଦର ପରିବେଶ ମଧ୍ୟରେ ଶାନ୍ତିଶୃଙ୍ଖଳାର ସହ ଚାଲିଛି ପୂଜାର୍ଚ୍ଚନା ଓ ଉତ୍ସବ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଏସ୍ସି-ଏସ୍ଟି ଉନ୍ନୟନ ଅଧ୍ୟକ୍ଷ ଭଲ୍ଲଭ ଧରୁଆ ଯୋଗଦେଇଥିଲେ । ସମାଜସେବୀ ବିଶୁ ଅଗ୍ରୱାଲ, ସରପଞ୍ଚ ରାଧେଶ୍ୟାମ ପଣ୍ଡା ଓ ସମାଜସେବୀ ମହମ୍ମଦ ଶିରାଜ ମଧ୍ୟ ଉପସ୍ଥିତ ରହି ପୂଜା କମିଟି ଓ ଗ୍ରାମବାସୀଙ୍କୁ ଉତ୍ସାହିତ କରିଥିଲେ । ୩୮ ବର୍ଷର ଏହି ପରମ୍ପରାକୁ ଆଗକୁ ନେବା ସହ ଆଗାମୀ ଦିନରେ ଆହୁରି ବଡ଼ ଆକାରରେ ଗଣେଶ ପୂଜା ଆୟୋଜନ କରିବାକୁ ପୂଜା କମିଟି ଲକ୍ଷ୍ୟ ରଖିଛି । ତମିଆଁର ଏହି ଗଣେଶ ପୂଜା ଆଜି ଭାଇଚାରା ଓ ଏକତାର ଏକ ନିଆରା ବାର୍ତ୍ତା ଦେଉଛି ।