
ବଲାଙ୍ଗିର, (କେପିଏନ୍ଏସ୍) : ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୂଲ୍ୟରେ ‘ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା’ର ତୃତୀୟ ଗସ୍ତ ଅନ୍ତର୍ଗତ ‘ଅଯୋଧ୍ୟା-ବନାରସ ତୀର୍ଥ ଯାତ୍ରା’ର ଶୁଭାରମ୍ଭ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଡାଃ. ବିଜୟାନନ୍ଦ ସେଠୀ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିବା ସହ ତୀର୍ଥଯାତ୍ରୀମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ଶ୍ରଦ୍ଧାଳୁମାନଙ୍କ ସୁରକ୍ଷିତ ଓ ସୁବିଧାଜନକ ଦର୍ଶନ ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଟାଲିନା ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର ଏବଂ ଚୂଡ଼ାପାଲି ଚିକିତ୍ସା ଅଧିକାରୀ ଡାଃ. ଶୁଭ୍ରାଂଶୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଯୋଜନା ମାଧ୍ୟମରେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରୁ ସମୁଦାୟ ୧୪୧ ଜଣ ବରିଷ୍ଠ ନାଗରିକ ଅଯୋଧ୍ୟା ଓ ବନାରସ ଅଭିମୁଖେ ଯାତ୍ରା କରିଛନ୍ତି । ଯାତ୍ରୀମାନଙ୍କ ସୁବିଧା ତଦାରଖ କରିବା ପାଇଁ ୪ ଜଣ ଏସକର୍ଟ ଅଫିସର ନିୟୋଜିତ ହୋଇଛନ୍ତି । ଯାତ୍ରା ଆରମ୍ଭ ପୂର୍ବରୁ ସମସ୍ତ ଶ୍ରଦ୍ଧାଳୁଙ୍କର ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ଜରୁରୀକାଳୀନ ଔଷଧ ପ୍ରଦାନ କରାଯାଇଥିଲା । ଯାତ୍ରୀମାନଙ୍କ ଯାତାୟାତ ପାଇଁ ପ୍ରଶାସନ ପକ୍ଷରୁ ୪ଟି ସ୍ୱତନ୍ତ୍ର ବସର ବ୍ୟବସ୍ଥା କରାଯାଇଥିବାବେଳେ, ଶ୍ରଦ୍ଧାଳୁମାନେ ସମ୍ବଲପୁରରୁ ଟ୍ରେନ୍ ଯୋଗେ ଅଯୋଧ୍ୟା ଓ ବନାରସ ଅଭିମୁଖେ ଯାତ୍ରା କରିବେ । ପ୍ରଶାସନର ଏହି ପଦକ୍ଷେପ ବରିଷ୍ଠ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ସୃଷ୍ଟି କରିଛି । କାର୍ଯ୍ୟକ୍ରମ ପରିଚାଳନାରେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ସମସ୍ତ କର୍ମଚାରୀ ଏବଂ ନୀଳାଞ୍ଚଳ ଦୀପ ସହଯୋଗ କରିଥିଲେ ।