jayashree

ଭକ୍ତର ଭଗବାନ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବଲଣ୍ଡା ମୁକ୍ତାକାଶ ରଙ୍ଗମଞ୍ଚରେରେ ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ ପୂଜା ଓ ଗଣପର୍ବ ନୂଆଖାଇ ଉପଲକ୍ଷେ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ରସାତ୍ମକ ନାଟକ ଭକ୍ତର ଭଗବାନ ଦି ବିଲିଭର୍ସ ନାଟ୍ୟାନୁଷ୍ଠାନ ଦ୍ୱାରା ପରିବେଷିତ ହୋଇଅଛି । ନାଟକର କଥାବସ୍ତୁଟି ଭକ୍ତର ଭାବରେ ଡୋରିରେ ବନ୍ଧା କଳା ଠାକୁର । ଭକ୍ତର ଭାବରେ ବନ୍ଧା ଜଗନ୍ନାଥ ନିଜର ଭକ୍ତମାନଙ୍କର ଗଭୀର ପରୀକ୍ଷା ନିଅନ୍ତି ପୁଣି ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ମଧ୍ୟ କରାଇବାରେ ସହାୟକ ହୋଇଥାନ୍ତି । ଷୋଡ଼ଶ ଶତାବ୍ଦୀର ଆରମ୍ଭରେ କଳାପାହାଡ଼ ଶ୍ରୀମନ୍ଦିରକୁ ଆକ୍ରମଣ କରିଛି, ମନରେ ତାହାର ରହିଛି ଗଭୀର ରୋଷ, ପଣ୍ଡା ପଡିହାରୀ ଆଉ ବିଶେଷ କରି ଶ୍ରୀଜଗନ୍ନାଥଙ୍କ ଉପରେ । ତାହାର ପ୍ରତିଜ୍ଞା ଉତ୍କଳ କଳା ସ୍ଥାପତ୍ୟର ଘୋର କ୍ଷତି ସାଧନ କରିବା, ସେତେବେଳକୁ ଜଗନ୍ନାଥଙ୍କ କୃପାରୁ ବିଶର ମହାନ୍ତି ବ୍ରହ୍ମ ପଦାର୍ଥକୁ ଉଦ୍ଧାର କରିଛନ୍ତି, ସେ ବ୍ରହ୍ମ ପଦାର୍ଥ ତୁଳା ପରି ନରମ ନା ପଥର ପରି ଟାଣ ଏହିଭଳି କାହାଣୀକୁ ନେଇ ନାଟକଟି ଗତିଶୀଳ ହୋଇଛି । ଏହି ନାଟକରେ କାହାଣୀ ବଦ୍ରି ମିଶ୍ର, ନାଟ୍ୟ ରୂପ ଓ ନିର୍ଦ୍ଦେଶକ ଚିନ୍ମୟ ତ୍ରିପାଠୀ‌, ସଂଗୀତ ସଂଯୋଜକ ଭାବେ ଦୀପକ କୁମାର ରାଉତ, ସହଯୋଗୀ ଲକ୍ଷ୍ମୀ ନାରାୟଣ ଦୋରା, ଚିତ୍ରାଳୟ ପ୍ରତ୍ୟୁଷ ପାଢୀ (ମୀରା ଚିତ୍ରାଳୟ) ଓ ବିଭିନ୍ନ ଚରିତ୍ରରେ ଚିନ୍ମୟ ତ୍ରିପାଠୀ, ପ୍ରତ୍ୟୁଷ ପାଢୀ, ଅକ୍ଷୟ ମାଝୀ, ରାଜେଶ ପ୍ରସାଦ, ଜର୍ଜ ବିଲୁଙ୍ଗ, ସୁଜଲ ଟପ୍ପୋ, ଆଶିଷ ଅନୁରାଗ ଯାଦବ, ସାଗର ରଣା, ସୁଲିପ୍ତା ଜେନା, ବର୍ଷା ପ୍ରିୟଦର୍ଶିନୀ ରାଉତ ପ୍ରମୁଖ ଅଭିନୟ ତଥା ମଞ୍ଚ ସଂଯୋଜନା କରିଥିଲେ ଜିତାମିତ୍ର ହୋତା, ଶଶାଙ୍କ ଶେଖର ଯାଦବ । ଏହି ଅବସରରେ ଅତିଥି ଭାବେ ଯୋଗଦେଇ ଥିବା ବିଜୟ ବିହାରୀ ହୋତା, ଦୋଳଗୋବିନ୍ଦ ରଥ, ଗଦାଧର କର, ସ୍ଥାନୀୟ ସରପଞ୍ଚ ଯୋଗେଶ୍ୱର ମିଞ୍ଜ ତଥା ନାଟ୍ୟରଥି ଡଃ ନିବେଦିତା ଜେନା, ପ୍ରଫୁଲ୍ଲ ଚନ୍ଦ୍ର ସେଠୀ, ଉମାକାନ୍ତ ବିଶୋଇ, ସୁରେନ୍ଦ୍ର ପାଢୀ, ଏବଂ ଯୁବ ସଙ୍ଗୀତ ସଂଯୋଜକ ପ୍ରମୋଦ ସାହୁ ଓ ଗୁଲାବ ଶର୍ମାଙ୍କୁ ସମ୍ବର୍ଦ୍ଧିତ ଓ ସମ୍ମାନିତ କରାଯାଇଥିଲା । ମଞ୍ଚରେ ଶଶାଙ୍କ ଶେଖର ଯାଦବ, ଜିତାମିତ୍ର ହୋତା, ସାଗର ରଣା, ଆୟୁଷ ଦାଶ, ଅଭିଳାଷ ଭଏଁସା ଆଦି କର୍ମକର୍ତ୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ଶତାଧିକ ଦର୍ଶକଙ୍କ ଆଗରେ ମଞ୍ଚସ୍ଥ କରାଯାଇଥିଲା ।

Leave A Reply

Your email address will not be published.