
ଲୋଇସିଂହା, (ବିମଳେନ୍ଦୁ ସାହୁ) : ନୁନିଆପାଲି ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ କିଶୋରୀ ମାନଙ୍କୁ ନେଇ ପଞ୍ଚାୟତ ସ୍ତରୀୟ ପ୍ରତିଫଳନଶୀଳ ଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପଲ୍ଲୀ ଆଲୋକ ପାଠାଗାର, ନଅଗାଁ (ଖ)ପକ୍ଷରୁ ଆୟୋଜିତ ଏହି କର୍ମଶାଳା ଆୟୋଜନରେ ଅଜିମ ପ୍ରେମଜୀ ଫାଉଣ୍ଡେସନ୍ ସହଯୋଗ କରିଥିଲା । ଏଥିରେ ନୁନିଆପାଲି ସରପଞ୍ଚ ପୁଷ୍ପାଞ୍ଜଳି ସାହୁ, ଉଚ୍ଚ ବିଦ୍ୟାଳୟ ସହକାରୀ ଶିକ୍ଷକ ଅମୂଲ୍ୟ ବେହେରା, ଅଙ୍ଗନବାଡି ସୁପରଭାଇଜର ଅଞ୍ଜଳି ମିଶ୍ରଙ୍କ ସମେତ ବିଭିନ୍ନ ସେବା ପ୍ରଦାନକାରୀ ଓ କିଶୋରୀ ମାନେ ଉପସ୍ଥିତ ଥିଲେ । ପ୍ରକଳ୍ପ ସଂଯୋଜକ ଅଭିଜିତ ମିଶ୍ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଗତ ବର୍ଷକ ମଧ୍ୟରେ କିଶୋରୀମାନଙ୍କ ଦ୍ୱାରା ଗ୍ରାମସ୍ତରରେ କରାଯାଇଥିବା ବିଭିନ୍ନ କାର୍ଯ୍ୟ, ଉଦ୍ୟମ ଓ ସଫଳତାକୁ ସେମାନେ ନିଜେ ଉପସ୍ଥାପନ କରିଥିଲେ । ଏଥିସହିତ କିଶୋରୀ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ଆହ୍ୱାନ ଉପରେ ଆଲୋଚନା କରାଯାଇଥିଲା । ଏହି ସମସ୍ୟା ଗୁଡ଼ିକର ସ୍ଥାୟୀ ସମାଧାନ ପାଇଁ ଉପସ୍ଥିତ ବିଭିନ୍ନ ବିଭାଗ ଓ ଅଂଶୀଦାରମାନଙ୍କ ସହଯୋଗରେ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଥିଲା । କିଶୋରୀମାନଙ୍କ ପୋଷଣ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆବଶ୍ୟକତା ପୂରଣ ପାଇଁ ଅଙ୍ଗନବାଡ଼ି ତଥା ଆଶାକର୍ମୀ ଓ ଏଏନ୍ଏମ୍ ମାନଙ୍କୁ ଅଧିକ ସକ୍ରିୟ ଭାବେ ଦାୟିତ୍ୱ ନେବାକୁ ଗୁରୁତ୍ୱ ଦିଆଯାଇଥିଲା । ସେହିପରି କିଶୋରୀ ମାନଙ୍କ ସୁରକ୍ଷା ଓ ଅଧିକାର ସମ୍ବନ୍ଧରେ ପଂଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିକୁ ଅଧିକ ଦାୟିତ୍ୱଶୀଳ ଓ କାର୍ଯ୍ୟକ୍ଷମ କରିବା ନେଇ ଆଲୋଚନା ହୋଇଥିଲା । ନୁନିଆପାଲି ଗ୍ରାମପଞ୍ଚାୟତ ସ୍ତରରେ ଶିଶୁ ସୁରକ୍ଷା କମିଟିକୁ ସକ୍ରିୟ ଓ କାର୍ଯ୍ୟକାରୀ କରିବା ସହିତ ନିୟମିତ ଭାବେ କାର୍ଯ୍ୟକ୍ରମ ଓ ସମୀକ୍ଷା କରିବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଇଥିଲା । କିଶୋରୀମାନଙ୍କ ସମସ୍ୟାର ସମାଧାନ କେବଳ ଗୋଟିଏ ବିଭାଗର ଦାୟିତ୍ୱ ନୁହେଁ, ବରଂ ପଞ୍ଚାୟତ, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ, ଶିଶୁ ସୁରକ୍ଷା କମିଟି ତଥା ସମୁଦାୟର ସମନ୍ୱିତ ପ୍ରୟାସ ଆବଶ୍ୟକ ବୋଲି କର୍ମଶାଳାରେ ମତ ପ୍ରକାଶ ପାଇଥିଲା । ପ୍ରାରମ୍ଭରେ ପଲ୍ଲୀ ଆଲୋକ ପାଠାଗାରର କର୍ମୀ ନମିତା ପଧାନ ସ୍ୱାଗତ ଜଣାଇଥିବା ବେଳେ ପ୍ରହ୍ଲାଦ ପଧାନ, ସୁଶାନ୍ତ ସା, ଆଶିଷ ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ବର୍ଷା ଜୁଏଡ଼ ଧନ୍ୟବାଦ ଅର୍ପଣ କରିଥିଲେ ।