jayashree

ଆୟୁର୍ବେଦିକ କଲେଜ ପରିଦର୍ଶନ କଲେ ନରସିଂହ

  • ଛାତ୍ର ଓ ପୁରାତନ ଛାତ୍ରଙ୍କ ସହ ସମସ୍ୟାକୁ ନେଇ ଆଲୋଚନା
  • ସରକାର ସମାଧାନ ନ କଲେ ଛାତ୍ର ହେବେ ଆନ୍ଦୋଳନ ମୁହାଁ- ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନରସିଂହ ମିଶ୍ର ବିଧାୟକ ଥିଲା ବେଳେ ଆୟୁର୍ବେଦିକ କଲେଜରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ସେ ସମୟର ଛାତ୍ର, ପୁରାତନ ଛାତ୍ର, ଅଧ୍ୟାପକ କର୍ମଚାରୀଙ୍କ ଦାବି କ୍ରମେ କଲେଜରେ ଥିବା ସବୁ ପ୍ରକାର ସମସ୍ୟା ସମାଧାନ ପାଇଁ ସେ ନିଜେ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ଭିତ୍ତିଭୂମି ହେଉ କି ଚିକିତ୍ସା ଜନିତ ସମସ୍ୟା ସମାଧାନ ପାଇଁ ବହୁକୋଟି ଟଙ୍କାର ପ୍ରକଳ୍ପର ଅନୁଦାନ ରାଶି ଅଣାଯାଇଥିଲା । ଅନେକ କାର୍ଯ୍ୟ ଚାଲିଛିି କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ଏତେ ଧିମାରେ ଚାଲିଛି ଯେ, ବର୍ତ୍ତମାନର ଆୟୁର୍ବେଦ ଛାତ୍ର ଛାତ୍ରୀମାନଙ୍କ ଭିତରେ ଏହି ସମସ୍ୟାକୁ ନେଇ ପୁଣି ହତାଶ ହେବା ସୃଷ୍ଟି ହୋଇଛି । ତେଣୁ ସେ ସବୁ ଭିତ୍ତିଭୂମି ନିର୍ମାଣ ଏବଂ ସମ୍ପୂର୍ଣ୍ଣତାରେ ଶୀଘ୍ରତା ଆଣିବା ପାଇଁ ପୁଣି ଚେଷ୍ଟା କରାଯିବ । ଯଦି ଏଥିରେ ପୁଣି ବିଳମ୍ବ ହେବାର ସମ୍ଭାବନା ଦେଖାଯାଏ ତେବେ ଆନ୍ଦୋଳନ ଏକମାତ୍ର ପନ୍ଥା, ସରକାର ଏଥିପ୍ରତି ତୁରନ୍ତ ଧ୍ୟାନ ଦିଅନ୍ତୁ ନଚେତ ଛାତ୍ରମାନେ ଏହାର ସମାଧାନ ପାଇଁ ନିଶ୍ଚିତ ଭାବରେ ଆନ୍ଦୋଳନ ମୁହାଁ ହେବେ ବୋଲି ଆଜି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଆୟୁର୍ବେଦ ଛାତ୍ରଛାତ୍ରୀ ଏବଂ ପୁରାତନ ଛାତ୍ରଛାତ୍ରୀଙ୍କ ଅନୁରୋଧ କ୍ରମେ ଶାରଦେଶ୍ୱରୀ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟରେ ଅନୁଷ୍ଠିତ ଛାତ୍ର ଛାତ୍ରୀମାନଙ୍କର ଏକ ମତବିନିମୟ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ବକ୍ତବ୍ୟରେ ଛାତ୍ର ଛାତ୍ରୀଙ୍କୁ କହିଛନ୍ତି । ସେ ଏହା ସହ ଆହୁରି ମଧ୍ୟ କହିଛନ୍ତି ଯେ, ସେ ବିଧାୟକ ଥିବା ସମୟରେ ଆୟୁର୍ବେଦ ଛାତ୍ର ଯାହା କିଛି ଦାବି କରିଥିଲେ ନିଜ ବିଧାୟକ ପାଣ୍ଠି ହେଉ କି ସରକାରଙ୍କ ଠାରୁ ଅନୁଦାନ ଆଣି ସେ ସବୁକୁ ପୂରଣ କରିଥିଲେ । ଭିତ୍ତିଭୂମି ନିର୍ମାଣ ଦିଗରେ ଅନେକ ମନ୍ଥରତା ଦେଖାଦେଇଛି । ତେଣୁ ମୁଁ ନିଶ୍ଚିତ ଭାବରେ ଅଧ୍ୟକ୍ଷଙ୍କୁ ଅନୁରୋଧ କରିବି ଯେତେ ଶୀଘ୍ର ହେବ ପରିଚାଳନା କମିଟି ଗଠନ କରି ତାର ବୈଠକ ଡାକନ୍ତୁ, ଏହା ହେଲେ ଏଠାରେ ଦେଖାଦେଇଥିବା ସମସ୍ୟାର ସମାଧାନ ଶୀଘ୍ର ହୋଇପାରିବ । ଏ ଅବସରରେ ଛାତ୍ରମାନଙ୍କ ତରଫରୁ ଏକ ଦାବିପତ୍ର ଶ୍ରୀ ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା । ଯେଉଁଥିରେ କି ନିର୍ମାଣାଧିନ କାମ ଶୀଘ୍ର ସମ୍ପୂର୍ଣ୍ଣ କରିବା, ଗୋଟିଏ ଡ୍ରଗ ଟେଷ୍ଟିଂ ୟୁନିଟ, ବାଳିକା ହଷ୍ଟେଲ, ପାଚେରୀର ମରାମତି, ଏନୋଟୋମି ପାଠପଢିବା ସୁବିଧା, ଖେଳ ପଡିଆ, ହଷ୍ଟେଲର ସମ୍ପ୍ରସାରଣ, କଲେଜର ଫାଉଣ୍ଡର ମେମ୍ବରମାନଙ୍କ ନାଁ ରେ କଲେଜ ପରିସରରେ ଥିବା ବିଭିନ୍ନ ଭିତ୍ତିଭୂମିକୁ ନାମିତ କରିବା, ଆୟୁର୍ବେଦିକ ମେଡିକାଲ ଅଫିସର ପଦବୀ ସୃଷ୍ଟି, ଗୃପ ସି, ଗୃପ ଡି କର୍ମଚାରୀ ଅଭାବ ପୂରଣ, ପରୀକ୍ଷାଗାର ସୁବିଧା ଏବଂ କଲେଜ କ୍ୟାଣ୍ଟିନ ନିର୍ମାଣ ସହ ଉତ୍ତମ ଖାଦ୍ୟ ପରିବେଷଣ ଦାବିକୁ ସ୍ଥାନୀତ କରାଯାଇଛି । ଏ ସବୁ ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବାକୁ ଛାତ୍ର ସଂସଦ ଓ ପୁରାତନ ଛାତ୍ର ସଂସଦ ତରଫରୁ ଶ୍ରୀ ମିଶ୍ରଙ୍କୁ ଅନୁରୋଧ କରାଯାଇଛି । ପୁରାତନ ଛାତ୍ର ସଂସଦ ସଭାପତି ଡା. ବାସୁଦେବ ପତି ଏ ସବୁ ଦାବିକୁ ନେଇ ଶ୍ରୀ ମିଶ୍ର ସରକାର ତଥା ପ୍ରଶାସନ ସାଙ୍ଗରେ କଥା ହୋଇ ତାର ସମାଧାନର ବାଟ ବାହାର କରନ୍ତୁ ବୋଲି ଅନୁରୋଧ କରିଥିଲେ । ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ତରଫରୁ ପୂର୍ବତନ ଆଇନମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ବିଧାୟକ ପାଣ୍ଠିରୁ ପ୍ରଦାନ କରାଯାଇଥିବା ସ୍ମାର୍ଟ ବୋର୍ଡ ପାଇଁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ଡା. ମନୋଜ କୁମାର ସାହୁ, ପୁରାତନ ଛାତ୍ର ସଂସଦ ସଭାପତି ଡା. ବାସୁଦେବ ପତି, ଛାତ୍ର ସଂସଦ ଉପସଭାପତି ଅଭିଷେକ ରଥ, ସାଧାରଣ ସଂପାଦକ ସୌମ୍ୟ ପଟ୍ଟନାୟକ, ପୁରାତନ ଛାତ୍ର ଡା. ପ୍ରକାଶ ଦାଶଙ୍କ ସମେତ କଲେଜର ପୁରାତନ ଛାତ୍ର ଓ ବର୍ତ୍ତମାନର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.