
ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଭାରତୀୟ ଜନତା ପାର୍ଟି ମଧ୍ୟରେ ତୀବ୍ର ଅସନ୍ତୋଷ ତଥା ଦଳୀୟ କନ୍ଦଳ ରହିଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି । ଗୋଟିଏ ଦିନରେ ଦୁଇଟି ଜାଗାରେ ସମାନ୍ତରାଳ ଭାବେ ସରକାରୀ ଦଳ ବିଜେପିର “ନୂଆଁଖାଇ ଭେଟଘାଟ” ହୋଇଥିବା ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ଗୋଟିଏ ଗୋଷ୍ଠୀ ସ୍ଥାନୀୟ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ନିକଟରେ ଭେଟଘାଟ ଆୟୋଜନ କରିଥିଲେ, ଯେଉଁଠାରେ କି ଜିଲ୍ଲା ସଭାପତିଙ୍କ ସମେତ ବଲାଙ୍ଗିରର ବିଧାୟକ ପ୍ରାର୍ଥୀ, ସାଂସଦଙ୍କ ନୋମିନି, ଜିଲ୍ଲାର ବିଭିନ୍ନ କର୍ମକର୍ତ୍ତା ଏବଂ କିଛି ଦଳୀୟ କର୍ମୀ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ଅପରପକ୍ଷେ ଲୋଇସିଂହା ବ୍ଲକର ରୁଗୁଡ଼ିଖାଲ ଠାରେ ସ୍ଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବରଗଡ଼ ଜିଲ୍ଲାର ଦଳୀୟ ବିଧାୟକ ଗଣ, ବଲାଙ୍ଗିର ଜିଲ୍ଲାର ଦୁଇଜଣ ଦଳୀୟ ବିଧାୟକ, ରାଜ୍ୟ ଉପସଭାପତି ଓ ସୋନପୁର ଜିଲ୍ଲାର ଜଣେ ଦଳୀୟ ବିଧାୟକ ଯୋଗ ଦେଇଥିଲେ । ରୁଗୁଡ଼ିଖାଲ ଠାରେ ଆୟୋଜିତ “ନୂଆଁଖାଇ ଭେଟଘାଟ” କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଧାୟକ ଏବଂ ନିକଟସ୍ଥ ଜିଲ୍ଲାର ବିଧାୟକ ମାନେ ଥାଇ ସେହି ଜାଗାରେ ଜିଲ୍ଲା ସଭାପତିଙ୍କ ଅନୁପସ୍ଥିତି ଟିକେ ହଜମ ହେଉନି । ନିଜ ସମର୍ଥକଙ୍କୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଏଠାରେ ନିଜର ଶକ୍ତି ପ୍ରଦର୍ଶନ କରିଥିବା ଚର୍ଚ୍ଚା ହେଉଥିବା ବେଳେ ବଲାଙ୍ଗିର ସାଂସଦଙ୍କ ବିରୋଧୀ ଭାବେ ଜଣାଶୁଣା ଜିଲ୍ଲାର ଦୁଇ ଦଳୀୟ ବିଧାୟକ ମଧ୍ୟ ଏଠାରେ ଉପସ୍ଥିତ ଥିଲେ । ସେହିପରି ବଲାଙ୍ଗିର ସାଂସଦଙ୍କ ଅନୁଗତ ତଥା ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବିରୋଧ କରୁଥିବା କିଛି ଦଳୀୟ କର୍ମୀ ଲୋୟର୍ ସୁକତେଲ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ନେଇ ଆଲୋଚନା ହେଉଛି । ତେବେ ଭାଜପାର ଦୁଇ ଗୋଷ୍ଠୀଙ୍କୁ ନେଇ ଆୟୋଜିତ ଦୁଇଟି ସମାନ୍ତରାଳ ଭେଟଘାଟ କାର୍ଯ୍ୟକ୍ରମ ଦଳୀୟ କନ୍ଦଳକୁ ସ୍ପଷ୍ଟ ଇଙ୍ଗିତ କରୁଛି । ଆଗକୁ ପଞ୍ଚାୟତ ତଥା ପୌର ପରିଷଦ ନିର୍ବାଚନ ରହିଥିବା ପରିପ୍ରେକ୍ଷୀରେ ଦଳ କିଭଳି ଆଗକୁ ବଢିବ, ସେ ନେଇ ବିଭିନ୍ନ ରାଜନୈତିକ ମହଲରେ ଉତ୍ସୁକତା ପରିଲକ୍ଷିତ ହୋଇଛି ।