jayashree

ଡକାୟତି ଅଭିଯୋଗରେ ଲିମନ ପାଢ଼ୀ ଓ ପ୍ରବୀଣ ମେହେର ଗିରଫ

  • ଏସ୍‌ପି ଅଫିସରେ ପଡ଼ୋଶୀ ବୌଦ୍ଧ ଜିଲ୍ଲାର ଶହ ଶହ ଲୋକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ପୋଲିସ ନେଇଛି କଡ଼ା କାର୍ଯ୍ୟାନୁଷ୍ଠାନ । ପଡ଼ୋଶୀ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶିମିଳିପଦର ପଞ୍ଚାୟତ ଅଧିବାସୀଙ୍କୁ କଥା ଦେଇ କଥା ରଖିଛନ୍ତି ଏସ୍‌ପି ନାରାୟଣ ନାୟକ ଓ ଆଇଆଇସି ଯାଦବ ବାଗ । ବନ୍ଧୁକ ଓ ଭୁଜାଲି ଦେଖାଇ ମାଡ଼ପିଟ ସହ ଡକାୟତି ଅଭିଯୋଗରେ ଦୁଇ ଯୁବକଙ୍କୁ ବାନ୍ଧିଛି ସୁବର୍ଣ୍ଣପୁର ପୋଲିସ । ସୋନପୁର ବ୍ଲକ ହରଡଖୋଲ- ବୈଦ୍ୟନାଥ ରାସ୍ତାରେ ନୀତି ଦିନିଆ ଲୁଟ୍‌ପାଟ୍‌ ଘଟଣା ଚାଲିଥିବା ଅଭିଯୋଗ ହୋଇ ଆସୁଥିଲା ବେଳେ ଅନେକ ଲୋକ ଲୁଟ୍ ତଥା ଆକ୍ରମଣର ଶିକାର ହୋଇଥିବା ନଜର ରହିଛି । ସୂଚନା ଅନୁଯାୟୀ ଅଭିଯୋଗକାରୀ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ସିମିଳିପଦର ପଞ୍ଚାୟତ ଅନ୍ତର୍ଗତ ଲୋକାପଡ଼ା ଗ୍ରାମର ବିକାଶ ସାହୁ (୨୮) ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ, ସେ ଚଳିତ ମାସ ୧୦ ତାରିଖ ଦିନ ସକାଳ ପ୍ରାୟ ୮.୩୦ ମିନିଟ୍ ସମୟରେ ସୋନପୁରକୁ କାମ କରିବା ପାଇଁ ଯାଉଥିବା ବେଳେ ଅଭିଯୁକ୍ତ ବୈଦ୍ୟନାଥ ଗ୍ରାମର ଲିମନ ପାଢ଼ୀ (୨୫), ହରଡଖୋଲ ଗ୍ରାମର ପ୍ରବୀଣ ମେହେର (୩୧) ଏବଂ ଦୀପକ ବେହେରା ତାଙ୍କୁ ବନ୍ଧୁକ, ଭୁଜାଲି ଦେଖାଇବା ସହ ମାଡ ପିଟ କରି ୨୫୦୦ ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଏହି ଘଟଣା ପରେ ପ୍ରତିଦିନ ଡକାୟତି ଯୋଗୁଁ ଜନ ଜୀବନ ସୁରକ୍ଷାକୁ ନେଇ ସ୍ଥାନୀୟ ପଥର୍ଲା ବଜାର ଠାରେ ୧୧ ତାରିଖ ଦିନ ଏକ ମିଟିଂ ହୋଇଥିଲା ଏବଂ ପରେ ସ୍ଥାନୀୟ ଅଞ୍ଚଳର ଶହ ଶହ ଗ୍ରାମବାସୀ ସୋନପୁର ଏସ୍‌ପିଙ୍କ ଦ୍ୱାରସ୍ତ ହୋଇଥିଲେ । ଏନେଇ ସୋନପୁର ଥାନାରେ ଏକ ମାମଲା କେଶ ନଂ ୩୨୩/୧୧.୦୯.୨୦୨୬ ଧାରା ୩୦୯(୬) ବିଏନ୍‌ଏସ୍‌/୨୫/୨୭ଆର୍ମସ୍‌ ଆକ୍ଟରେ ରୁଜୁ ହୋଇ ତଦନ୍ତ ଚାଲୁରହିଥିଲା । ବୈଦ୍ୟନାଥ ବ୍ରିଜ୍ ସେପଟେ କଣ୍ଟାମାଳ ବ୍ଲକ ସେମିଳିିପଦର ପଞ୍ଚାୟତ ଅବସ୍ଥିତ । ପ୍ରଥମେ ସେହି ରାସ୍ତାରେ ଲୁଟ୍ ପାଟ୍ ଆରମ୍ଭ ହୁଏ ବେଆଇନ ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ଉପରେ କିନ୍ତୁ ପରେ ଏଥିରେ ସ୍ଥାନୀୟ ଜନସାଧାରଣ ମଧ୍ୟ ବାଦ ପଡ଼ନ୍ତି ନାହିଁ । ଏବଂ ଏହି ସବୁ ଘଟଣାର ମୁଖ୍ୟ ଲିମନ ପାଢ଼ୀ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସେ ବିଭିନ୍ନ ଅଞ୍ଚଳରୁ ତାର ସହଯୋଗୀ ମାନଙ୍କୁ ଡକାଇ ବନ୍ଧୁକ, ଭୁଜାଲିରେ ଆକ୍ରମଣ କରି ଲୁଟ୍ ପାଟ କରୁଥିବା ବେଳେ ସ୍ଥାନୀୟ ବାସିନ୍ଦା ମଧ୍ୟ ଏଥିରେ ଅତିଷ୍ଠ ହୋଇ ଯାଇଥିଲେ । ସେପଟେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୩ ଗୋଟି ମୋବାଇଲ, ନଗଦ ୧୬ ହଜାର ଟଙ୍କା ଏବଂ ନୀଳ ରଙ୍ଗର ମଟର ସାଇକେଲ ଟିଭିଏସ ଆପାଚି (ଓଡ଼ି୩୧ଏଲ୍‌- ୪୬୭୦)କୁ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ମଧ୍ୟ ଗିରଫ କରିବା ପାଇଁ ପ୍ରୟାସ ଚଳାଇଥିବା ତଦନ୍ତ ଅଧିକାରୀ ରାଜ କିଶୋର ବାରିକ କହିଛନ୍ତି । ଏନେଇ ଶିମିଳିପଦର ସରପଞ୍ଚ ସାର୍ଦୂଳ ନାଗ ତାଙ୍କ ପ୍ରତିକ୍ରିୟାରେ ଅଞ୍ଚଳବାସୀଙ୍କ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ତଥା ଏସ୍‌ପିଙ୍କୁ ସାବାସୀ ଦେଇଛନ୍ତି ।

Leave A Reply

Your email address will not be published.