
ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲାର ରୋବାଡି ବାଳିକା ଉଚ୍ଚ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କରେ ଆତଙ୍କିତ ହୋଇଛନ୍ତି ଛାତ୍ରୀ । ଫଳରେ ଭୟରେ ଅଭିଭାବକ ମାନେ ନିଜ ପିଲାଙ୍କୁ ଘରକୁ ନେଇଯାଉଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦୨ ଜଣ ଛାତ୍ରୀ ହଷ୍ଟେଲ ଛାଡିଛନ୍ତି । ୨୦ରୁ ଅଧିକ ଛାତ୍ରୀ ଜଣ୍ଡିସ୍ ରୋଗରେ ଆକ୍ରାନ୍ତ ହୋଇଥିଲେ । ଜଣେ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଥିଲା । ଏବେ ବି ଛାତ୍ରୀ ନିବାସରେ ରହି ଆକ୍ରାନ୍ତମାନେ ଚିକିତ୍ସିତ ହେଉଥିବା ବେଳେ ପରିବାର ଲୋକେ ଭୟଭିତ ଅବସ୍ଥାରେ ରହିଛନ୍ତି । ଗତ ୫ଦିନ ପୂର୍ବରୁ ପିଲାମାନଙ୍କୁ ସାମାନ୍ୟ ଜ୍ବର ହେବା ସହ ଆଖି ଦଳଦିଆ ପଡିଯାଇଥିଲା । ପରେ ଏଏନ୍ଏମ୍ଙ୍କ ପ୍ରାଥମିକ ଚିକିତ୍ସା ପରେ ଆକ୍ରାନ୍ତ ମାନେ ସାମାନ୍ୟ ସୁସ୍ଥ ହୋଇଥିଲେ ହେଁ ଜଣ୍ଡିସ୍ ଲକ୍ଷଣ କମିନଥିଲା । ଫଳରେ ଅଭିଭାବକ ମାନେ ଭୟଭିତ ହୋଇ ନିଜ ପିଲା ମାନଙ୍କୁ ଘରକୁ ନେଇଯାଉଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ଆକ୍ରାନ୍ତ ମାନଙ୍କୁ ନିୟମିତ ଚିକିତ୍ସା ଯୋଗାଇ ଦିଆଯାଉଥିବା ବେଳେ ସମସ୍ତଙ୍କ ପ୍ରତି ଧ୍ୟାନ ଦିଆଯାଉଛି ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ ସୂଚନା ଦେଇଛନ୍ତି । ଏହି ବିଦ୍ୟାଳୟରେ ପ୍ରାୟ ୨ ଶହରୁ ଅଧିକ ଛାତ୍ରୀ ହଷ୍ଟେଲରେ ରହି ପାଠପଢୁଛନ୍ତି । ତେବେ ହଷ୍ଟେଲ ଛାଡିଥିବା ଛାତ୍ରୀ ମାନଙ୍କୁ ଫେରାଇ ଆଣିବା ପାଇଁ ବିଦ୍ୟାଳୟର ଶିକ୍ଷକ ମାନେ ଉଦ୍ୟମ କରୁଥିବା ଜଣାପଡିଛି ।