
ବଙ୍ଗୋମୁଣ୍ଡା/କଣ୍ଟାବାଞ୍ଜି, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ତଥା କଣ୍ଟାବାଞ୍ଜି ଅଞ୍ଚଳ ପାଇଁ ଆସିଛି ଏକ ବଡ ଖୁସି ଖବର । ବିଶିଷ୍ଟ ଶିକ୍ଷାବିତ୍, ଅଧ୍ୟକ୍ଷ, ଲେଖକ, ସମାଜସେବୀ ଓ ଆଇନ ପରାମର୍ଶଦାତା ଡକ୍ଟର ରମେଶ ଚନ୍ଦ୍ର ମାହାନନ୍ଦଙ୍କୁ ଦେଶର ପ୍ରତିଷ୍ଠିତ ଜାତୀୟ ସମ୍ମାନ ‘ଭାରତ ରତ୍ନ ସେବା ସମ୍ମାନ – ୨୦୨୬’ରେ ସମ୍ମାନିତ କରାଯାଇଛି । ଭାରତ ସରକାରଙ୍କ ନୀତି ଆୟୋଗ ଓ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ପଞ୍ଜିକୃତ ସ୍ୱେଚ୍ଛାସେବୀ ସଂଗଠନ ‘ହେଲ୍ପିଙ୍ଗ ହ୍ୟୁମାନ୍ସ’ ଓ ‘ଦର୍ପଣ’ ପକ୍ଷରୁ ତାଙ୍କୁ ଏହି ମହାନ ସମ୍ମାନ ପ୍ରଦାନ କରାଯାଇଛି । ମାନପତ୍ରରେ ଡକ୍ଟର ମାହାନନ୍ଦଙ୍କୁ ଜଣେ ଅଧ୍ୟକ୍ଷ, ଶିକ୍ଷାବିତ୍, ବିଶିଷ୍ଟ ବକ୍ତା, ଲେଖକ, ସମାଜସେବୀ, ଆଇନ ପରାମର୍ଶଦାତା, ଭାବେ ବର୍ଣ୍ଣନା କରାଯାଇଛି । ଶିକ୍ଷା, ସାହିତ୍ୟ, ସମାଜସେବା, ଆଇନ ଏବଂ କଳା କ୍ଷେତ୍ରରେ ତାଙ୍କର ଅସାଧାରଣ ନେତୃତ୍ୱ, ଉତ୍କୃଷ୍ଟ ଶିକ୍ଷାଦାନ, ଯୁବପିଢିଙ୍କୁ ଉଚ୍ଚମାନର ଶିକ୍ଷା ପ୍ରଦାନ, ସାହିତ୍ୟ ସୃଷ୍ଟି, ଜନକଲ୍ୟାଣ, ସାମାଜିକ ସଚେତନତା, ନ୍ୟାୟ ପ୍ରଚାର ଓ ରାଷ୍ଟ୍ର ନିର୍ମାଣ ଦିଗରେ ତାଙ୍କର ଆଜୀବନ ପ୍ରତିବଦ୍ଧତାକୁ ସମ୍ମାନ ଜଣାଇ ଏହି ପୁରସ୍କାର ଦିଆଯାଇଛି ବୋଲି ଉଲ୍ଲେଖ ରହିଛି । ଏହି ସମ୍ମାନ ପାଇବା ପରେ ଡକ୍ଟର ମାହାନନ୍ଦ କହିଛନ୍ତି ଯେ, ମୁଁ ପ୍ରତିଷ୍ଠିତ ଭାରତ ରତ୍ନ ସେବା ସମ୍ମାନ ପାଇ ଅତ୍ୟନ୍ତ ଗର୍ବିତ । ପ୍ରଥମେ ମୁଁ ହେଲ୍ପିଙ୍ଗ ହ୍ୟୁମାନ୍ସ ଓ ଦର୍ପଣ ସଂସ୍ଥାକୁ ଧନ୍ୟବାଦ ଜଣାଉଛି, ଯିଏ ମୋତେ ଏଭଳି ଗୌରବମୟ ଜାତୀୟ ପୁରସ୍କାର ପାଇଁ ଯୋଗ୍ୟ ମନେ କଲେ । ଏହି ପୁରସ୍କାରକୁ ମୁଁ ମୋର ସ୍ୱର୍ଗତ ପିତା ଓ ମୋ ପ୍ରିୟ ମା’ଙ୍କୁ ସମର୍ପଣ କରୁଛି । ମୋ ଧର୍ମପତ୍ନୀଙ୍କ ପ୍ରେରଣା ଏବଂ ମୋ ପୁଅ ଓ ଝିଅର ସହଯୋଗ ପାଇଁ ସେମାନଙ୍କୁ ମଧ୍ୟ ବିଶେଷ ଧନ୍ୟବାଦ । ଏହି ଖବର ପ୍ରଚାରିତ ହେବା ପରେ କଣ୍ଟାବାଞ୍ଜି ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷକ, ଛାତ୍ର ଓ ସାଧାରଣ ଜନତାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ଏବଂ ଶୁଭେଚ୍ଛାର ସୁଅ ଛୁଟିଛି ।

