
ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ସି ବ୍ଲକ ସ୍ଥିତ ନୀଳାଚଳ ଯୁବ ପରିଷଦର ୪ଦିନ ଧରି ଚାଲିଥିବା ଶ୍ରୀ ଗଣେଶଙ୍କ ପୂଜା ମହାସମାରୋହରେ ସମ୍ପନ୍ନ ହୋଇଛି । ୧୪ ତାରିଖ ଦିନ କଳସ ଯାତ୍ରା ଓ ପୂଜାରମ୍ଭ, ୧୫ ତାରିଖ ଦିନ ଭଗବତ ଚର୍ଚ୍ଚା, ୧୬ ତାରିଖ ଦିନ କନିଷ୍ଠ ଓ ବରିଷ୍ଠ ବିଭାଗରେ ନୃତ୍ୟ ଓ ଚିତ୍ରାଙ୍କନ ପ୍ରତିଯୋଗିତା, ୧୭ ତାରିଖ ଦିନ ସହସ୍ର ଦୀପ ଦାନ ଓ ପୁରସ୍କାର ବିତରଣ ଉତ୍ସବ ତଥା ଆଜି ପ୍ରସାଦ ସେବନ ସହ ଭସାଣି ଯାତ୍ରା ଅନୁଷ୍ଠିତ ହୋଇଥିଲା । ତେବେ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସମାଜସେବୀ ବିରେନ୍ ସେନାପତି ମୁଖ୍ୟ ଅତିଥି ଓ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଭୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଉଭୟ ଅତିଥି ଅନୁଷ୍ଠାନର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସଂସ୍କୃତି, ପରମ୍ପରାକୁ ବଜାୟ ରଖି ଆଗାମୀ ପିଢ଼ି ପାଇଁ ଉଦାହରଣ ସୃଷ୍ଟି କରିଥିବାରୁ ସାଧୁବାଦ ଦେଇଥିଲେ । ରୁଦ୍ରପ୍ରସନ୍ନ ସାମଲଙ୍କ ସଂଯୋଜନା, ସଭାପତି ନମ୍ରତା ମହାରଣା, ସମ୍ପାଦକ ପ୍ରିୟଦର୍ଶିନୀ ମହାରଣାଙ୍କ ଆବାହକତ୍ୱରେ ରାଜେଶ ମହାରଣା, ବିନୋଦ ମହାରଣା, ଦେବଦତ୍ତ ସାହୁଙ୍କ ସମେତ ଅପର୍ଣ୍ଣା, ନିକିତା, ବିନିତା, ପ୍ରିୟାଂଶୁ, ପ୍ରଭାତ, ଆଦିତ୍ୟ, ମିତ୍ରଭାନୁ, ସସ୍ମିତା, ବିଜୟଲକ୍ଷ୍ମୀ, ସନ୍ତୋଷିନୀ, ଦୀପିକା, କ୍ରିଷ୍ଣା ପ୍ରମୁଖ ସହଯୋଗ କରିଥିଲାବେଳେ ପୂଜକ ଭାବେ କୈବଲ୍ୟ ମିଶ୍ର ଓ ଯତୀନ ମିଶ୍ର ଦାୟିତ୍ୱ ତୁଳାଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳରେ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

