
ପଦ୍ମପୁର, (ନିରୋଜ କୁମାର ପାଣୀ) : ପରମ୍ପରା ଓ ଭକ୍ତିର ନିଆରା ଉଦାହରଣ । ପଦ୍ମପୁର ଉପଖଣ୍ଡ ପାଇକମାଲ ନୃସିଂହନାଥ ମନ୍ଦିର ଯିବା ରାସ୍ତାରେ ଥିବା ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିରକୁ ଡୁମ୍ବେରବାହାଲ ଗ୍ରାମରୁ ପହଞ୍ଚିଛି ନୂଆଁଖାଇ ଅଢିଆ । କୁଳିତା ସମାଜର ଏହି ପ୍ରସିଦ୍ଧ ମନ୍ଦିରରେ ବାର ମାସରେ ତେର ପର୍ବ ପରମ୍ପରା ଓ ରୀତିନୀତି ଅନୁସାରେ ପାଳିତ ହୋଇଥାଏ । ମନ୍ଦିର ପ୍ରତିଷ୍ଠା ଦିନଠାରୁ ପ୍ରତିବର୍ଷ ଡୁମ୍ବେରବାହାଲ ଗ୍ରାମବାସୀଙ୍କ ପକ୍ଷରୁ ମାଆଙ୍କ ନିକଟକୁ ନୂଆଁଖାଇ ଭୋଗ ସାମଗ୍ରୀ ଅଣାଯାଉଛି । ଏହି ପରମ୍ପରାକୁ ବଜାୟ ରଖି ଚଳିତବର୍ଷ ମଧ୍ୟ ଡୁମ୍ବେରବାହାଲ ଗ୍ରାମର ଜାତିଭାଇମାନେ ମାଆ ରଣେଶ୍ୱର ରାମଚଣ୍ଡୀଙ୍କ ପାଇଁ ନୂଆଁଧାନ, ଅରୁଆ ଚାଉଳ, ଘିଅ, ମୁଗ, ଗୁଡ଼, ପନିପରିବା, ନୂଆ ବସ୍ତ୍ର, ରାକ୍ଷୀ ସହ ବିଭିନ୍ନ ପୂଜା ସାମଗ୍ରୀ ନେଇ ମନ୍ଦିରରେ ପହଞ୍ଚିଥିଲେ । ରାମକୃଷ୍ଣ ସାହୁ ଓ ବନବାସ ସାହୁ ଏହି ସମସ୍ତ ସାମଗ୍ରୀ ନେଇ ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ସମାଜସେବୀ ଟାଇଲ ଚନ୍ଦ୍ର ଭୋଇ ଓ ମନ୍ଦିର ପୂଜକ ଉଦ୍ଧବ ପ୍ରଧାନ ଉପସ୍ଥିତ ରହି ସେମାନଙ୍କୁ ସ୍ୱାଗତ କରିବା ସହ ନୂଆଁଖାଇ ଅଢିଆ ଗ୍ରହଣ କରିଥିଲେ । ନୂଆଁଖାଇ କେବଳ ନୂଆ ଅନ୍ନ ଖାଇବାର ପର୍ବ ନୁହେଁ, ଏହା ହେଉଛି ଭକ୍ତି, ପରମ୍ପରା ଓ ଭାଇଚାରାର ପର୍ବ । ବର୍ଷ ବର୍ଷ ଧରି ଡୁମ୍ବେରବାହାଲ ଗ୍ରାମବାସୀଙ୍କ ଏହି ଭକ୍ତି ଓ ପରମ୍ପରା ପାଳନ ପାଇଁ କୁଳିତା ସମାଜ ପକ୍ଷରୁ ସେମାନଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଯାଇଛି ।