
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଜାତୀୟ ଆଇନ ସେବା ପ୍ରାଧୀକରଣଙ୍କ ଆଦେଶ ଅନୁଯାୟୀ ଶନିବାର ବାଲିଗୁଡ଼ା ସ୍ଥିତ ଦେୱାନୀ ଓ ଫୌଜଦାରି ଅଦାଲତ ପରିସରରେ ତାଲୁକ ଆଇନ ସେବା କମିଟି, ବାଲିଗୁଡ଼ା ପକ୍ଷରୁ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ- ୨୦୨୬ ଅତିରିକ୍ତ ଜିଲ୍ଲା ଜଜ୍ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ଶୁଭଶ୍ରୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଲୋକ ଅଦାଲତରେ ବିଭିନ୍ନ ଅଦାଲତ ସମେତ ବିଭିନ୍ନ ସରକାରୀ ଓ ଆର୍ଥିକ ଅନୁଷ୍ଠାନର ମାମଲା ଗୁଡ଼ିକର ଆପୋସ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇଥିଲା । ଅତିରିକ୍ତ ଜିଲ୍ଲା ଜଜ୍ ଅଦାଲତରେ ମୋଟ ୩ଟି ମାମଲା ନିଆଯାଇଥିବା ବେଳେ ମାମଲା ଗୁଡ଼ିକର ସମାଧାନ ପ୍ରକ୍ରିୟାରେ ମୋଟ ୨୭,୭୦,୦୦୦ ଟଙ୍କାର କ୍ଷତିପୂରଣ ପୁରସ୍କାର କରାଯାଇଥିଲା । ସେହିପରି ସିଭିଲ୍ ଜଜ୍ (ସିନିୟର ଡିଭିଜନ) ଅଦାଲତରେ ମୋଟ ୬ଟି ମାମଲା ନିଆଯାଇଥିବା ବେଳେ ୨ଟି ମାମଲାର ଫଇସଲା ହୋଇଥିଲା । ଏଥିରେ ମୋଟ ୫,୪୧,୧୯୪ ଟଙ୍କାର ସେଟଲମେଣ୍ଟ ହୋଇଥିଲା । ଏସ୍ଡିଜେଏମ୍ଙ୍କ ଅଦାଲତରେ ମୋଟ ୧୯ଟି ମାମଲା ନିଆଯାଇଥିବା ବେଳେ ୪ଟି ମାମଲାର ସମାଧାନ ହୋଇଥିଲା । ଏଥିରେ ମୋଟ ୧୧ ଲକ୍ଷ ଟଙ୍କାର ସେଟଲମେଣ୍ଟ ହୋଇଥିବା ଜଣାପଡ଼ିଛି । ବ୍ୟାଙ୍କ ମାମଲାରେ ମଧ୍ୟ ଆପୋସ ସମାଧାନ ଲୋକ ଅଦାଲତରେ ପାଞ୍ଚଟି ଜାତୀୟକରଣ ବ୍ୟାଙ୍କ ଅଂଶଗ୍ରହଣ କରିଥିଲେ । ସେଗୁଡ଼ିକ ହେଲା ବାଲିଗୁଡା, କ. ନୂଆଗାଁ, ବାରଖମା, ସାରଙ୍ଗଡ଼ର ଷ୍ଟେଟ ବ୍ୟାଙ୍କ, ବାଲିଗୁଡାର ଓଡିଶା ଗ୍ରାମୀଣ ବ୍ୟାଙ୍କ ଏହି ବ୍ୟାଙ୍କ ଗୁଡ଼ିକର ପ୍ରି-ଲିଟିଗେସନ୍ ବ୍ୟାଙ୍କ ରିକଭରି ମାମଲା ମଧ୍ୟରୁ ମୋଟ ୨୧୧ଟି ମାମଲା ନିଆଯାଇଥିବା ବେଳେ ୧୬ଟିର ସମାଧାନ ହୋଇଛି । ଏଥିରେ ମୋଟ ୭,୯୪,୯୨୭ ଟଙ୍କାର ସେଟଲମେଣ୍ଟ ହୋଇଥିଲା । ଏଥିସହ ଟିପିଏସ୍ଓଡିଏଲ ମଧ୍ୟ ଲୋକ ଅଦାଲତରେ ଅଂଶଗ୍ରହଣ କରିଥିଲା । ଟିପିଏସ୍ଓଡିଏଲ୍ ସମ୍ବନ୍ଧୀୟ ମୋଟ ୧୬୦ଟି ମାମଲା ନିଆଯାଇଥିବା ବେଳେ ୩ଟିର ସମାଧାନ ହୋଇଥିଲା ଏବଂ ୪୪,୧୭୭ ଟଙ୍କାର ସେଟଲମେଣ୍ଟ ହୋଇଥିଲା । ଅନ୍ୟପକ୍ଷରେ ବାଲିଗୁଡ଼ା ତହସିଲର ରାଜସ୍ୱ ମାମଲା ମଧ୍ୟ ଲୋକ ଅଦାଲତରେ ନିଆଯାଇଥିଲା । ମୋଟ ୩୭୯ଟି ରାଜସ୍ୱ ମାମଲା ନିଆଯାଇ ୩୭୯ଟି ମାମଲାର ହିଁ ସମାଧାନ କରାଯାଇଛି । ଲୋକ ଅଦାଲତ ମାଧ୍ୟମରେ ଦୀର୍ଘଦିନ ଧରି ଚାଲିଥିବା ବିବାଦର ଶୀଘ୍ର ଓ ସହଜ ଆପୋସ ସମାଧାନ ହୋଇଥିବାରୁ ଏହା ମାମଲା ପକ୍ଷଭୁକ୍ତ ଲୋକଙ୍କ ପାଇଁ ଆଶ୍ୱସ୍ତିର କାରଣ ହୋଇଛି । ଆଇନ ସେବା ପ୍ରାଧୀକରଣର ଏଭଳି ପଦକ୍ଷେପ ନ୍ୟାୟକୁ ସାଧାରଣ ଲୋକଙ୍କ ନିକଟତର କରିବା ସହ ଅଦାଲତରେ ମାମଲାର ଚାପ ହ୍ରାସ କରିବାରେ ସହାୟକ ହେଉଛି ।