jayashree

ସାକ୍ଷରତାର ଆଲୋକ ବିତରଣ କଲା ‘ଉଲ୍ଲାସ’ : ବ୍ଲକ ସ୍ତରୀୟ ଜନସଚେତନତା ପଦଯାତ୍ରା

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ହାତରେ ସଚେତନତାର ବାର୍ତ୍ତା, ମୁହଁରେ ସାକ୍ଷରତାର ସ୍ଲୋଗାନ ଏବଂ ମନରେ ଏକ ସୁନ୍ଦର ସମାଜ ଗଠନର ସଂକଳ୍ପ । ଏଭଳି ଏକ ଶିକ୍ଷାମୟ ପରିବେଶରେ ବାଲିଗୁଡ଼ା ସହରରେ ଅନୁଷ୍ଠିତ ହୋଇଛି ବ୍ଲକସ୍ତରୀୟ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’ ଜନସଚେତନତା ପଦଯାତ୍ରା । ସାକ୍ଷରତା କେବଳ ଅକ୍ଷର ଚିହ୍ନିବା ନୁହେଁ, ବରଂ ଏହା ମଣିଷକୁ ସଚେତନ, ସ୍ୱାବଲମ୍ବୀ ଓ ଦାୟିତ୍ୱବାନ କରିବାର ଏକ ଶକ୍ତିଶାଳୀ ମାଧ୍ୟମ—ଏହି ବାର୍ତ୍ତା ନେଇ ସହର ପରିକ୍ରମା କରିଥିଲା ପଦଯାତ୍ରା । ବାଲିଗୁଡ଼ା ନୂଆସାହି ସ୍ଥିତ ପାଟଖଣ୍ଡା ଉଚ୍ଚ ବିଦ୍ୟାପୀଠ ପରିସରରୁ ପଦଯାତ୍ରାର ଶୁଭାରମ୍ଭ ହୋଇଥିଲା । ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ସହରର ବିଭିନ୍ନ ଅଞ୍ଚଳ ଦେଇ ଅଗ୍ରସର ହୋଇଥିଲା । ପଦଯାତ୍ରାରେ ସାକ୍ଷରତାର ଗୁରୁତ୍ୱ, ଶିକ୍ଷାର ଆବଶ୍ୟକତା ଓ ନିରକ୍ଷରତା ଦୂରୀକରଣ ନେଇ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା ।
ପଦଯାତ୍ରା ଶେଷରେ ବିଦ୍ୟାପୀଠ ପରିସରରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଳରାମ ବେହେରା ଓ ପ୍ରଦୀପ କୁମାର ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ । ଏଥିସହ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ । ଉପସ୍ଥିତ ଅତିଥି ମାନେ ‘ଉଲ୍ଲାସ’ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରି ସମାଜର ପ୍ରତ୍ୟେକ ବର୍ଗଙ୍କୁ ଶିକ୍ଷାର ମୁଖ୍ୟସ୍ରୋତ ସହ ଯୋଡ଼ିବା ଏବଂ ନିରକ୍ଷରତା ଦୂର କରିବାରେ ସମସ୍ତଙ୍କ ସକ୍ରିୟ ସହଯୋଗ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ସାକ୍ଷରତାର ଆଲୋକ ଯେତେ ବ୍ୟାପକ ହେବ, ସମାଜ ସେତେ ଅଧିକ ସଚେତନ ଓ ସଶକ୍ତ ହେବ । ତେଣୁ ‘ଉଲ୍ଲାସ’ ଭଳି ଅଭିଯାନ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ସାକ୍ଷର ଓ ସଚେତନ ଭାରତ ଗଠନ ଦିଗରେ ଏକ ସାମୂହିକ ପ୍ରୟାସ ବୋଲି ମତ ପ୍ରକାଶ ପାଇଥିଲା ।

Leave A Reply

Your email address will not be published.