
- ଛିନତାଇ ବଦଳାଇ ଦେଲା କି ମକାରୁଙ୍କ ଭଗ୍ୟରେଖା
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଜଣେ ଅତ୍ୟନ୍ତ ଭଦ୍ର, ମେଳାପୀ ତଥା ପରିଶ୍ରମୀ ଗ୍ୟାରେଜ ମିସ୍ତ୍ରୀ ତଥା ମାଲିକଙ୍କ ଦୁଃଖଦ ମୃତ୍ୟୁ ହୋଇଛି । ଏମିତି ବି ଆସେ ମୃତ୍ୟୁ । ଗାଡ଼ି ଚଲାଉଥିବା ବେଳେ ଅସୁସ୍ଥତା ଅନୁଭବ କରି ଗାଡ଼ିକୁ ରାସ୍ତା କଡରେ ଠିଆ କରି ସିଟ୍ରେ ବସିଥିବା ଅବସ୍ଥାରେ ଚାଳକଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଧିନସ୍ଥ ଗନିଆଁ ଫାଣ୍ଡି ଅନ୍ତର୍ଗତ କେନାଲ ରାସ୍ତା ଗନିଆ ଛକ ପାଖରେ । ଲଛିପୁର ଥାନା କୁଦୋପାଲି ଗ୍ରାମର ମକାରୁ ବାଗ (୪୧) ନିଜ ଗାଡି ସ୍ୱିଫ୍ଟ ଡିଜାୟାର ଓଡି ୨୭ଏ ୦୧୬୬ରେ ବରପାଲିକୁ କାମ ପାଇଁ ଯାଇଥିବା ସମୟରେ ଗନିଆଁ ଗାଁ ଛକ ନିକଟରେ କାର ଚଲାଉଥିବା ବେଳେ ଅସୁସ୍ଥତା ଅନୁଭବ କଲେ ତେଣୁ କାରଟିକୁ ରାସ୍ତା କଡରେ ଅଟକାଇ ଦେଇ ଷ୍ଟାଟ ବନ୍ଦ କରି ବିଶ୍ରାମ ନେଉଥିଲେ । ହଠାତ ହୃଦଘାତ ହୋଇ ତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ରାସ୍ତା ଉପରେ କାର ଛିଡାକରି କାର ଭିତରେ ଦୀର୍ଘ ୩ ଘଣ୍ଟାରୁ ଅଧିକ ସମୟ ଧରି ରହିଥିଲେ । କାରଟି ଛିଡା ହୋଇଥିଲା କିନ୍ତୁ କାରର ୱାଇଫର ଚାଲୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳକୁ ପୋଲିସ ପହଞ୍ଚି କାର ଭିତରୁ ମକାରୁଙ୍କୁ ଉଦ୍ଧାର କରି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ବେଳେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଏନେଇ ମକାରୁଙ୍କ ଭାଇ ରାମେଶ୍ଵର ବାଗ ବିନିକା ଥାନାରେ ଲିଖିତ ଏତଲା ଦେଇଥିବା ବେଳେ ଏତଲାକୁ ଆଧାର କରି ବିନିକା ଥାନାରେ ୨୧/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ପୋଲିସ । ସୂଚନା ଯୋଗ୍ୟ ଯେ, ଅତ୍ୟନ୍ତ ଗରିବ ପରିବାରରୁ ଆସିଥିବା ମକାରୁ ପ୍ରଥମେ ମନମୁଣ୍ଡାର ଏକ ଗ୍ୟାରେଜରେ ହେଲପର୍ ଭାବରେ କାମ ଶିଖିବା ପରେ ମିସ୍ତ୍ରୀ ଭାବରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ପଲସାଗୁଡା ଠାରେ ଗ୍ୟାରେଜ କରି ଅତ୍ୟନ୍ତ ପରିଶ୍ରମୀ ହେତୁ ଭଲ ଦୁଇ ପଇସା ରୋଜଗାର କରୁଥିଲେ । ପ୍ରାୟ ୨ ମାସ ତଳେ ନିଜ ଗ୍ରାମ ପାଖରେ ମହିମା ଖଲିଆପାଲି ଠାରେ ମଧ୍ୟ ଏକ ଗ୍ୟାରେଜ ଓ ସିମେଣ୍ଟ ଦୋକାନ କରିଥିଲେ କିନ୍ତୁ ତାଙ୍କ ଉପରେ ହଠାତ୍ ଦିନେ ମାଡ଼ି ଆସିଲା ଚଡ଼କ । ସେ ପଲସାଗୋରା ଗ୍ୟାରେଜରୁ କାମ ସାରି ରାତି ପ୍ରାୟ ୯.୦୩ ବେଳେ ବୈଦ୍ୟନାଥ ବ୍ରିଜ୍ ଦେଇ ହରଡଖୋଲ ପଟକୁ ଆସୁଥିବା ବେଳେ ରେଲୱେ ବ୍ରିଜ୍ ପାଖରେ ପ୍ରାୟ ୮/୧୦ ଜଣ ଦୁର୍ବୃତ୍ତ ତାଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିବା ସହ ପାଖରେ ଥିବା ୮୦ ହଜାର ଟଙ୍କା ଲୁଟ୍ କରି ନେଇଥିଲେ । ଏ ନେଇ ଏକା ଥିବା ମକାରୁ ସାହସ ଜୁଟାଇ ଘଟଣାସ୍ଥଳରୁ ବାଇକ୍ ଯୋଗେ ଚାଲିଆସି ସୋନପୁର ଥାନାରେ ମୌଖିକ ଭାବରେ ଅଭିଯୋଗ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। କିଛି ଦିନ ପରେ ଘରକୁ ଫେରି ତାଙ୍କ ପଛପଟ ଅଣ୍ଟା ଉପରକୁ ମେରୁଦଣ୍ଡରେ ବାଜିଥିବା ଭୁଜାଲି ଚୋଟର ଦରଦ ଯୋଗୁଁ ଗ୍ୟାରେଜ ନ ଜାଇ ଘରେ ହିଁ ରହିବା ସହ ହସ ହସ ମକାରୁ ମୌନ ରହୁଥିଲେ। ଗତ ଗୁରୁବାର ଦିନ ସେ ଧାନ ବିହନ ଫେରସ୍ତ କରିବାକୁ ବରପାଲି ଯାଉଥିବା ବେଳେ ରାସ୍ତାରେ ଚିନ୍ତାଗ୍ରସ୍ତ ଯୋଗୁଁ ହୃଦଘାତର ଶିକାର ହୋଇଥିବା ଅନୁମାନ କରାଯାଉଛି । ଦୁର୍ବୃତ୍ତ ମାନଙ୍କ ଛିନତାଇ ବଦଳାଇ ଦେଲା କି ହସ ହସ ମକାରୁଙ୍କ ଜୀବନ ରେଖା ? ନୂଆ ସ୍ୱପ୍ନ ଦେଖି ନୂତନ ଗ୍ୟାରେଜ ଖୋଲିଥିବା ମକାରୁ ଆଉ ନାହାନ୍ତି ତାଙ୍କ କୁନି ଝିଅ ଓ ପତ୍ନୀଙ୍କୁ ଛାଡି ଚାଲିଯାଇଛନ୍ତି ।