jayashree

ବଲାଙ୍ଗିର ଜିଲ୍ଲା ସଂକୀର୍ତ୍ତନ ପରିଷଦର ସ୍ୱତନ୍ତ୍ର ବୈଠକ

  • “ଆମ କଳାକାର” ପଞ୍ଜିକରଣ ଅବଧି ବଢାଇବା ପାଇଁ ଅନୁରୋଧ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସଦାଇପାଲି ପଲ୍ଲିଶ୍ରୀ ବିହାର ସ୍ଥିତ ରାଧାକୃଷ୍ଣମନ୍ଦିର ପରିସରରେ ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦର ଆନୁକୂଲ୍ୟରେ ବଲାଙ୍ଗିର ଜିଲ୍ଲାର ଏକ ସ୍ୱତନ୍ତ୍ର ବୈଠକ ବସିଥିଲା । ବଲାଙ୍ଗିର ଜିଲ୍ଲା ସଂକୀର୍ତ୍ତନ ପରିଷଦର ସଭାପତି ଡ. ଶ୍ରୀକର ମିଶ୍ର ଅଧ୍ୟକ୍ଷତା କରିଥିଲେ । ପର୍ଯ୍ୟବେକ୍ଷକ ଭାବରେ ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକର ଅଶୋକ ପଧାନ ଯୋଗଦାନ କରିଥିଲେ । ସର୍ବପ୍ରଥମେ ରାଧାକୃଷ୍ଣଙ୍କ ପୂଜାର୍ଚ୍ଚନା ପରେ ବର୍ତ୍ତମାନର ସରକାର ଆମ କଳାକାର ୱେବସାଇଟ୍‌ ଖୋଲି ସାଂସ୍କୃତିକ ଦଳମାନଙ୍କ ପଞ୍ଜିକରଣ ପାଇଁ ଗତ ୧୮ ତାରିଖରୁ ଚଳିତ ମାସ ୬ ତାରିଖ ପର୍ଯ୍ୟନ୍ତ କରାଇଥିଲେ । ଯାହାକି ଏକ ଐତିହାସିକ ପଦକ୍ଷେପ ବୋଲି ସଭାରେ ଆଲୋଚନା ହୋଇଥିଲା ଏବଂ ସରକାରଙ୍କ ଠାରେ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ସାଂସ୍କୃତିକ ଦଳଗୁଡିକୁ ନିୟୋଜିତ କରି ଓଡିଶାର କଳା ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା ଏହାର ମୂଳ ଲକ୍ଷ୍ୟ ବୋଲି ସଂସ୍କୃତି ବିଭାଗ ଦ୍ୱାରା ସୂଚନା ଦିଆଯାଇଛି । ଫଳରେ ବଲାଙ୍ଗିର ଜିଲ୍ଲା ସଂକୀର୍ତ୍ତନ ପରିଷଦ ତରଫରୁ ଡ. ମିଶ୍ରଙ୍କ ନେତୃତ୍ୱରେ ଜିଲ୍ଲାର ଶତାଧିକ ସଂକୀର୍ତ୍ତନ ଦଳ, ରାମଳୀଳା, କୃଷ୍ଣଳୀଳା ଓ କରମା ଭଳିଆ ଅନେକ ଦଳର ପଞ୍ଜିକରଣ କରାଯାଇଛି । କିନ୍ତୁ ପ୍ରଚାର ପ୍ରସାର ଅଭାବରୁ ତଥା ନେଟୱାର୍କ ନ ଆସିବାରୁ ଦୂର ଦୂରାନ୍ତରର ଅନେକ ସାଂସ୍କୃତିକ ଦଳ ତଥା କଳାକାର ପଞ୍ଜିକରଣରୁ ବାଦ୍‌ ପଡିଯାଇଛନ୍ତି । ଯେହେତୁ ଏହି କାର୍ଯ୍ୟକ୍ରମଟି ସ୍ୱଚ୍ଛତାର ସହ କରାଯାଉଛି, ଆଜିର ସଭାରେ ସରକାରଙ୍କୁ ସାଧୁବାଦ ଜଣେଇ ପଞ୍ଜିକରଣ ଅବଧି ଆଉ ୧୦ ଦିନ ବଢାଇବା ପାଇଁ ଅନୁରୋଧ କରାଯାଇଛି । ପୁନଶ୍ଚ ନିଖିଳ ଓଡିଶା ସଂକୀର୍ତ୍ତନ ମହାସଂଘର ସଭାପତି ବାବା ପଞ୍ଚଦେବ ଏଥିରେ ହସ୍ତକ୍ଷେପ କରି ଅବଧି ବଢାଇବା ପାଇଁ ଦାବୀ କରିବାକୁ ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.