
- ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ୨୪ଙ୍ଘ୭ ଖୋଲାଯାଉ – ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ଅନ୍ତର୍ଗତ ବନ୍ଧପଡା ଠାରେ ଥିବା ବନ୍ଧପଡା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଚିକିତ୍ସା ତଥା ଅନ୍ୟାନ୍ୟ ଆନୁସଙ୍ଗିକ କେମିତି ଚାଲିଛି ସେ ସବୁ ବୁଝିବା ପାଇଁ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଆଜି ପୂର୍ବାହ୍ନରେ ପ୍ରାଥମିକ ଚିକିତ୍ସା କେନ୍ଦ୍ର ପରିଦର୍ଶନ କରିଥିଲେ । ପରିଦର୍ଶନ ବେଳେ ବିଶେଷ କରି ଭିତ୍ତିଭୂମିି, ଔଷଧ ବିତରଣ ତଥା ଚିକିତ୍ସା ଠିକ୍ ଠାକ ଚାଲିଥିବା ଆଲୋଚନାରୁ ଜଣାପଡିଥିଲା କିନ୍ତୁ ଏହି ପ୍ରାଥମିକ ଚିକିତ୍ସା କେନ୍ଦ୍ର ଭୌଗୋଳିକ ଦୃଷ୍ଟିରୁ ଏପରି ସ୍ଥାନରେ ଅଛି ଯାହାକି ଦେଓଗାଁ ବ୍ଲକ ସମେତ ବଲାଙ୍ଗିର ବ୍ଲକ, ଏପରି କି ସଇଁତଲା ବ୍ଲକର ଲୋକେ ମଧ୍ୟ ଏଠାରେ ଚିକିତ୍ସା ହେବା ପାଇଁ ଗମନାଗମନ ଦୃଷ୍ଟିରୁ ସହଜ ହୋଇଥାଏ । ଦେଓଗାଁ ବ୍ଲକର ଧଣ୍ଡାମାଲ, ବାମନିଯୋର, ସିଂହାମୁଣ୍ଡା, ଲଣ୍ଡାପଥର, ବଲାଙ୍ଗିର ବ୍ଲକର ସିକାଛିଡା, କୁଡାସିଂହା, ଭୁତିଆରବାହାଲ, ସାରସମାଲ, ଶିବତଲା ଏବଂ ସଇଁତଲା ବ୍ଲକର ଡେଙ୍ଗ, ଝିଙ୍କିଡୁଙ୍ଗୁରି, ଟିକ୍ରାପଡା, କରମତଲା ସମେତ ଆହୁରି ଅନେକ ପଂଚାୟତରୁ ରୋଗୀମାନେ ଆସି ଏଠାରେ ଚିକିତ୍ସିତ ହୁଅନ୍ତି । ରୋଗୀ ସଂଖ୍ୟା ଓ ଲୋକଙ୍କ ସୁବିଧା ଦୃଷ୍ଟିରୁ ଏହି ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ପ୍ରାୟତଃ ଭିଡ ଲାଗି ରହିଥାଏ କିନ୍ତୁ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ଆଜି ପର୍ଯ୍ୟନ୍ତ କେବଳ ଏକ ଡେ-କେୟାର ଚିକିତ୍ସା କେନ୍ଦ୍ର ଭାବରେ ସୀମିତ କରିଦିଆଯାଇଛି । ଭିତ୍ତିଭୂମି, ରୋଗୀ ସଂଖ୍ୟା ତଥା ଅନ୍ୟାନ୍ୟ ସୁବିଧାକୁ ଦେଖିଲେ ଏହି ଚିକିତ୍ସା କେନ୍ଦ୍ରକୁ ୨୪ଙ୍ଘ୭ ଚିକିତ୍ସା କେନ୍ଦ୍ର ଭାବରେ ଉନ୍ନିତ କରିବା କଥା ବୋଲି ଲୋକେ ପୂର୍ବତନ ଆଇନମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଆଗରେ ଦାବି ଜଣାଇଥିଲେ । ଶ୍ରୀ ମିଶ୍ର ମଧ୍ୟ ଏହି ଚିକିତ୍ସା କେନ୍ଦ୍ର ଉପରେ ଯେହେତୁ ଅନେକ ଅଂଚଳର ରୋଗୀମାନେ ନିର୍ଭରଶୀଳ ଅଛନ୍ତି ତେଣୁ ଏହି କେନ୍ଦ୍ରକୁ ଯେତେ ଶୀଘ୍ର ୨୪ଙ୍ଘ୭ ଚିକିତ୍ସା କେନ୍ଦ୍ର ଭାବରେ ଘୋଷଣା କରିବା ପାଇଁ ବିଭାଗୀୟ ଅଧିକାରୀ ଓ ସରକାରଙ୍କ ସହିତ ଆଲୋଚନା କରିବେ । ଏହା ହେଲେ ବର୍ତ୍ତମାନ ଯାହା କେବଳ ଦିନବେଳା ଚିକିତ୍ସା ହେଉଛି ତାହା ଦିନ ରାତି ୨୪ ଘଣ୍ଟା ଲୋକେ ଚିକିତ୍ସା ସୁବିଧା ପାଇବେ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଏ ଦିଗରେ ସେ ନିଶ୍ଚିତ ଭାବେ କାର୍ଯ୍ୟକ୍ରମ ଗ୍ରହଣ କରିବେ ବୋଲି କହିଥିଲେ । ତା’ ସହ ସେ ଆହୁରି ମଧ୍ୟ କହିଥିଲେ ଯେ, ସ୍ୱାସ୍ଥ୍ୟ ବିଭାଗରେ ବିଭିନ୍ନ ପଦବୀ ପୂରଣ ପାଇଁ ସରକାର ଅନେକ ଦିନରୁ ଆଉଟସୋର୍ସିଂ ବ୍ୟବସ୍ଥା ଲାଗୁ କରିଛନ୍ତି ଯାହାକୁ ସେ ବିଧାୟକ ଥିବା ବେଳେ ବିଧାନସଭା ଗୃହରେ ମଧ୍ୟ ବିରୋଧ କରିଥିଲେ । ତେଣୁ ବର୍ତ୍ତମାନ ମଧ୍ୟ ଏହି ଚିକିତ୍ସା କେନ୍ଦ୍ର ସମେତ ଅନ୍ୟାନ୍ୟ ଚିକିତ୍ସା କେନ୍ଦ୍ରରେ କାର୍ଯ୍ୟରତ ଚିକିତ୍ସା ଓ ଅଣଚିକିତ୍ସା କର୍ମଚାରୀ ବିଶେଷ କରି ଚତୁର୍ଥ ଶ୍ରେଣୀ କର୍ମଚାରୀ ଆଉଟସୋର୍ସିଂ ବ୍ୟବସ୍ଥା ଦ୍ୱାରା ଆର୍ଥିକ ଶୋଷଣର ଶୀକାର ହେଉଛନ୍ତି । ଏହା ଶୀଘ୍ର ବନ୍ଦ ହେବା ଉଚିତ ଏବଂ ସମସ୍ତ କର୍ମଚାରୀଙ୍କୁ ସରକାର ନିୟମିତ କର୍ମଚାରୀ ଘୋଷଣା କରନ୍ତୁ ବୋଲି ସେ ଦାବି କରିଛନ୍ତି । ତା’ ସହ ଏଠାରେ ଖାଲିଥିବା ସିକ୍ୟୁରିଟି ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପଦବୀ ଶୀଘ୍ର ପୂରଣ କରନ୍ତୁ ବୋଲି କହିଥିଲେ । ଆଲୋଚନା ବେଳେ ଡେ-କେୟାରରେ ଚିକିତ୍ସା, ବର୍ହି ଚିକିତ୍ସା ବିଭାଗରେ ଚିକିତ୍ସା ଠିକ୍ ଠାକ୍ ଚାଲିଛି କି ନାହିଁ ସ୍ଥାନୀୟ ଲୋକଙ୍କୁ ଠାରୁ ପଚାରି ବୁଝିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ପ୍ରାଥମିକ ଚିକିତ୍ସା କେନ୍ଦ୍ରର ଡାକ୍ତର ସୁସ୍ରୁତ ସାମନ୍ତ, ଡା. ସୁମିତ୍ରା ଦାଶ, ଫାର୍ମାସି ଅଫିସର ରାଜେଶ ମେହେର ଶ୍ରୀ ମିଶ୍ରଙ୍କୁ ଚିକିତ୍ସା କେନ୍ଦ୍ର କାର୍ଯ୍ୟକ୍ରମ ଉପରେ ଅବଗତ କରିଥିଲେ । ପରିଦର୍ଶନ ସମୟରେ ଶ୍ରୀ ମିଶ୍ରଙ୍କ ସହ କଂଗ୍ରେସ ନେତା ରାମଜୀ ଚୌଧୁରୀ, କାନ୍ତେଶ୍ୱର ପ୍ରଧାନ, ଅସୀତ ମିଶ୍ର, ଭକ୍ତ ଧରୁଆ, ଜୁଗୁନୁ ପ୍ରଧାନ, ଶୁଶିଲ ନାଗ, ଲିଟନ ହୋତା, ଗୁଗୁନ ମିଶ୍ର, ନରେନ୍ଦ୍ର ବାଗ, ଜଳିନ୍ଦ୍ର କଲେତ, ଟିକେଲାଲ ଭାଟି, ଜହନ ଛତ୍ରିଆ, ପ୍ରହ୍ଲାଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।