jayashree

ଶିକ୍ଷା ବଞ୍ଚାଅ ଆନ୍ଦୋଳନ : ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବିରୋଧରେ ବିଜୁ ଯୁବ-ଛାତ୍ର ଜନତା ଦଳର ବିକ୍ଷୋଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପାଠ୍ୟପୁସ୍ତକରେ ଥିବା ବିଭିନ୍ନ ତ୍ରୁଟିକୁ ନେଇ ଆଜି ବଲାଙ୍ଗିରରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ “ଶିକ୍ଷା ବଞ୍ଚାଅ ଆନ୍ଦୋଳନ” ଆୟୋଜିତ ହୋଇଥିଲା । ଏହି ଅବସରରେ ଶତାଧିକ ଯୁବ ଓ ଛାତ୍ରକର୍ମୀ ଏକତ୍ରିତ ହୋଇ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରସଙ୍ଗରେ ଦୃଢ଼ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଆନ୍ଦୋଳନରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ, ରାଜ୍ୟ ଯୁବ ସଭାପତି ଚିନ୍ମୟ ସାହୁ, ଛାତ୍ର ସଭାନେତ୍ରୀ ଶ୍ରୀମତୀ ଇପ୍ସିତା ସାହୁ, ରାଜ୍ୟ ଯୁବ ବିଜେଡ଼ି କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା, ଜିଲ୍ଲା ସଭାପତି ସରୋଜ ମେହେର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ନିହାର ରଞ୍ଜନ ବେହେରା, ଯୁବ ସଭାପତି ଯତୀନ ପଟେଲ ଓ ଛାତ୍ର ସଭାପତି ସୁମନ ନନ୍ଦଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗଦେଇଥିଲେ । ବରଗଡ଼ ଜିଲ୍ଲାରୁ ସୁବ୍ରତ ସିଂହ ଓ ପ୍ରଦ୍ୟୁମ୍ନ ତ୍ରିପାଠୀ, ରାଜ୍ୟ ସମ୍ପାଦକ ଲକ୍ଷ୍ମଣ କୁମାର ମେହେର, ପ୍ରଭାସ ପାଣିଗ୍ରାହୀ ଓ ଗୁଞ୍ଜ ଖାନ, କଣ୍ଟାବାଞ୍ଜିରୁ ଗିରିରାଜ ମାଝୀ, ଅଜିତ ଯୋଷୀ, ହଂସରାଜ ଜୈନ ଓ ଅମଜଦ ଖାଁଙ୍କ ସମେତ ଜିଲ୍ଲା ମହିଳା ସଭାପତି ଶ୍ରୀମତୀ ଗୀତା ବିଶୀ, ନଗର ସଭାପତି ଶମ୍ଭୁ ନାଗ, ସଦର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ, ସରୋଜ ପ୍ରଧାନ, ଦୟାନିଧି ଖମାରୀଙ୍କ ସମେତ ବହୁ ଯୁବ ଓ ଛାତ୍ର ଯୋଗଦେଇଥିଲେ । ବିକ୍ଷୋଭକାରୀମାନେ ଅଭିଯୋଗ କରିଥିଲେ ଯେ, ପାଠ୍ୟପୁସ୍ତକରେ ଥିବା ତଥ୍ୟଗତ ଓ ମୁଦ୍ରଣଜନିତ ତ୍ରୁଟି ଛାତ୍ରଛାତ୍ରୀଙ୍କ ଶିକ୍ଷାର ଗୁଣବତ୍ତାକୁ ପ୍ରଭାବିତ କରିବା ସହ ସେମାନଙ୍କ ଭବିଷ୍ୟତ ପାଇଁ ଗୁରୁତର ଚିନ୍ତାର କାରଣ ହୋଇଛି । ଏପରି ଗୁରୁତ୍ୱପୂର୍ଣ୍ଣ ବିଷୟରେ ସରକାରଙ୍କ ଦାୟିତ୍ୱହୀନତାକୁ ନେଇ ଆନ୍ଦୋଳନକାରୀମାନେ ଗଣଶିକ୍ଷା ବିଭାଗ ବିରୋଧରେ ନାରାବାଜି କରିବା ସହ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଥିଲେ । ଏହି ଅବସରରେ ଯୁବ-ଛାତ୍ର ନେତାମାନେ କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଭବିଷ୍ୟତ ସହ କୌଣସି ପ୍ରକାର ସାଲିସ୍ କରାଯିବ ନାହିଁ । ପାଠ୍ୟପୁସ୍ତକର ସମସ୍ତ ତ୍ରୁଟିକୁ ତୁରନ୍ତ ସୁଧାରିବା, ଛାତ୍ରଛାତ୍ରୀଙ୍କୁ ଶୁଦ୍ଧ ଓ ଗୁଣାତ୍ମକ ଶିକ୍ଷା ସାମଗ୍ରୀ ଯୋଗାଇଦେବା ଏବଂ ଶିକ୍ଷା ବ୍ୟବସ୍ଥାରେ ଥିବା ଅନ୍ୟାନ୍ୟ ତ୍ରୁଟିର ସମାଧାନ କରିବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ । ଛାତ୍ରଛାତ୍ରୀଙ୍କ ହିତ ଓ ଭବିଷ୍ୟତ ସୁରକ୍ଷା ପାଇଁ ଆବଶ୍ୟକ ହେଲେ ଆଗାମୀ ଦିନରେ ମଧ୍ୟ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ନେତାମାନେ ଚେତାବନୀ ଦେଇଥିଲେ ।

Leave A Reply

Your email address will not be published.