
ବଲାଙ୍ଗିର, (କେପିଏନ୍ଏସ୍) : ପିପଲବାହାଲିରେ ବାଇକ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଉତ୍ତେଜନା ଦେଖାଦେଇଛି । ମୃତକ ହେଉଛନ୍ତି ସୁବଳ ନନ୍ଦ । ଦୁର୍ଘଟଣାରେ ସୁବଳଙ୍କ ମୃତ୍ୟୁ ପରେ ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରାଯାଇଥିଲା । ଦାବି ପୂରଣ ନହେବାରୁ ମୃତଦେହକୁ ଗଇଁତଲା ରାସ୍ତା ଉପରେ ରଖି ପରିବାର ଓ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ । ଘଟଣାସ୍ଥଳରେ ଶତାଧିକ ଲୋକ ଏକାଠି ହୋଇ ପ୍ରତିବାଦ କରିବା ସହ କ୍ଷତିପୂରଣ ଦାବି ଜୋରଦାର କରିଥିଲେ । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ପରେ ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ହସ୍ତକ୍ଷେପ କରାଯାଇଥିଲା । ଆଲୋଚନା ପରେ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯିବାରୁ ଶେଷରେ ରାସ୍ତାରୋକ ହଟିଥିଲା । ଏହି ଘଟଣାକୁ ନେଇ ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଦୁର୍ଘଟଣା ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଥିବା ବେଳେ, ଆଗାମୀ ଦିନରେ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ସ୍ଥାନୀୟମାନେ ଦାବି କରିଛନ୍ତି ।