
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜିର ଯୁଗରେ ଦୁନିଆ ଯେତେ ଆଗକୁ ବଢ଼ୁଛି ଶିକ୍ଷା କ୍ଷେତ୍ରରେ ମଧ୍ୟ ନୂତନ ପାଠ୍ୟକ୍ରମ ସହ ନୂତନ ଶିକ୍ଷାଦାନର ପଦ୍ଧତି ଆପଣେଇବାକୁ ପଡ଼ୁଛି । ତେବେ ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ଓମ୍ଭ୍ୟାଲି ସ୍କୁଲର ମ୍ୟାନେଜମେଣ୍ଟ ତରଫରୁ ସୋମବାର ଦିନ ଅପରାହ୍ନରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସଶକ୍ତ କରିବା ପାଇଁ ଏକ ଶିକ୍ଷକ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ବିଇଡି କଲେଜର ସହକାରୀ ପ୍ରଫେସର ଡଃ. ଅଜିତ କୁମାର ପ୍ରଧାନ ଆସି ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ, ଶିକ୍ଷକମାନଙ୍କର ବୃତ୍ତିଗତ ଗୁଣବତ୍ତାକୁ ସୁଦୃଢ଼ କରିବା, ଶିକ୍ଷାର୍ଥୀ-କେନ୍ଦ୍ରିକ ଏବଂ ଦକ୍ଷତା-ଭିତ୍ତିକ ଶିକ୍ଷାଦାନ ପଦ୍ଧତିକୁ ପ୍ରୋତ୍ସାହିତ କରିବା, ଶିକ୍ଷାର୍ଥୀ ମାନଙ୍କର ଭାଷାଗତ ଦକ୍ଷତା ବୃଦ୍ଧି ପାଇଁ ପ୍ରଭାବଶାଳୀ କୌଶଳର ପରିଚୟ କରାଇବା, ଶିକ୍ଷାର ଫଳାଫଳ ଏବଂ NEP ୨୦୨୦ ସହ ସମନ୍ୱିତ ମୂଲ୍ୟାୟନ ପଦ୍ଧତିରେ ଉନ୍ନତି ଆଣିବା । କର୍ମଶାଳାର ପ୍ରଥମ ଅଧିବେଶନରେ –୧: ପ୍ରଭାବଶାଳୀ ଶିକ୍ଷକଙ୍କର ମୌଳିକ ଗୁଣ ବୃତ୍ତିଗତ ନୈତିକତା, ଶିକ୍ଷକଙ୍କ ମନୋଭାବ, ଯୋଗାଯୋଗ, ସହାନୁଭୂତି, ଆତ୍ମଚିନ୍ତନ, ନେତୃତ୍ୱ, ନିରନ୍ତର ବୃତ୍ତିଗତ ବିକାଶ ଏବଂ ଶିକ୍ଷକ-ଶିକ୍ଷାର୍ଥୀଙ୍କ ମଧ୍ୟରେ ସକାରାତ୍ମକ ସମ୍ପର୍କ ଗଠନ ବିଷୟରେ ଅବଗତ କରାଇଥିବା ବେଳେ ଦ୍ୱିତୀୟ ଅଧିବେଶନରେ ଶିକ୍ଷଣ ପଦ୍ଧତିରେ ପରିବର୍ତ୍ତନ – ଶିକ୍ଷକ-କେନ୍ଦ୍ରିକରୁ ଶିକ୍ଷାର୍ଥୀ-କେନ୍ଦ୍ରିକ ଶିକ୍ଷାଦାନ NEP ୨୦୨୦, ଦକ୍ଷତା-ଭିତ୍ତିକ ଶିକ୍ଷା, ଅନୁଭବାତ୍ମକ ଶିକ୍ଷା, ସହଯୋଗୀ ଶିକ୍ଷଣ, ଭିନ୍ନୀକୃତ ଶିକ୍ଷାଦାନ, ପ୍ରଶ୍ନୋତ୍ତର କୌଶଳ ଏବଂ ସକ୍ରିୟ ଶ୍ରେଣୀଗୃହ ଅଂଶଗ୍ରହଣ ବିଷୟରେ ବୁଝାଇଥିଲେ । ସେହିପରି ତୃତୀୟ ଅଧିବେଶନରେ ଶିକ୍ଷାର୍ଥୀଙ୍କ ଭାଷାଗତ ଦକ୍ଷତା ବୃଦ୍ଧି ପାଇଁ ରଣନୀତିମୂଳକ ପଦ୍ଧତି ସମସ୍ତ ବିଷୟରେ ଭାଷାର ବ୍ୟବହାର, ପଢ଼ିବା, ଲେଖିବା, ଶୁଣିବା ଓ କହିବା ଦକ୍ଷତାର ବିକାଶ, ଶ୍ରେଣୀଗୃହ ଆଲୋଚନା, ଶବ୍ଦ ଭଣ୍ଡାର ବୃଦ୍ଧି ଏବଂ ପ୍ରତ୍ୟେକ ବିଷୟ ଶିକ୍ଷକଙ୍କ ପାଇଁ ପ୍ରଯୋଜ୍ୟ ଯୋଗାଯୋଗ କୌଶଳ, ଚତୁର୍ଥ ଅଧିବେଶନରେ ପ୍ରଭାବଶାଳୀ ଶିକ୍ଷାର୍ଥୀ ମୂଲ୍ୟାୟନ ଗଠନମୂଳକ ଓ ସାରାଂଶମୂଳକ ମୂଲ୍ୟାୟନ, ଦକ୍ଷତା-ଭିତ୍ତିକ ମୂଲ୍ୟାୟନ, ରୁବ୍ରିକ୍ ଡିଜାଇନ୍, ପ୍ରତିକ୍ରିୟା କୌଶଳ, ପ୍ରଶ୍ନୋତ୍ତର କୌଶଳ, ପୋର୍ଟଫୋଲିଓ ମୂଲ୍ୟାୟନ ଏବଂ ଶିକ୍ଷାରେ ଉନ୍ନତି ପାଇଁ ମୂଲ୍ୟାୟନର ବ୍ୟବହାର ବିଷୟରେ ଆଲୋକପାତ କରିଥିଲେ ଡ. ପ୍ରଧାନ । ଶେଷରେ ଆନ୍ତଃକ୍ରିୟାତ୍ମକ ଆଲୋଚନା ଓ ପ୍ରଶ୍ନୋତ୍ତର ଅଧିବେଶନ ଶ୍ରେଣୀଗୃହର ସମସ୍ୟାଗୁଡ଼ିକ ଆଲୋଚନା, ଉତ୍ତମ ପଦ୍ଧତିର ଆଦାନ-ପ୍ରଦାନ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ପରେ ସନ୍ଧ୍ୟା ୫ ଟାରେ କାର୍ଯ୍ୟକ୍ରମ ସମ୍ପର୍ଣ୍ଣ ହୋଇଥିଲା । ଏହି କାର୍ଯ୍ୟକ୍ରମ ଦ୍ୱାରା “ସଶକ୍ତ ଶିକ୍ଷକ, ପ୍ରେରଣାଦାୟକ ଶ୍ରେଣୀଗୃହ, ସଫଳ ଶିକ୍ଷାର୍ଥୀ, “ଏକାଠି, ଆସନ୍ତୁ ଭବିଷ୍ୟତ ଗଢ଼ିବା ! ବୋଲି ଡ. ପ୍ରଧାନ ନିଜ ବକ୍ତବ୍ୟରେ କହିଥିଲେ । ଏହି କର୍ମଶାଳାରେ ସ୍କୁଲର ମୁଖ୍ୟ ପରାମର୍ଶଦାତା ଡ. ରୋବିନ ଚନ୍ଦ୍ର ପରମାଣିକ, ଭାଇସ ପ୍ରିନ୍ସିପାଲ ଶ୍ରୀମତୀ ନିଶି ବେରି, ଶ୍ରୀମତୀ ସରିତା ମହାପାତ୍ରଙ୍କ ସମେତ ଜୁନିଅର ଓ ସିନିୟର୍ ୱିଙ୍ଗସର ସର୍ବ ମୋଟ ୬୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ସରିବା ପରେ ସ୍କୁଲ ତରଫରୁ ପ୍ରଶିକ୍ଷକ ଡ. ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।