jayashree

ସ୍ଵଭାବକବି ଗଙ୍ଗାଧର ମେହେରଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ, ରାଉରକେଲା ଆନୁକୂଲ୍ୟରେ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ସ୍ଵଭାବକବି ଗଙ୍ଗାଧର ମେହେରଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ସଭା ସେକ୍ଟର-୧୪ସ୍ଥିତ କମ୍ୟୁନିଟି ସେଣ୍ଟର ସମ୍ମୁଖରେ ଥିବା ସ୍ଵଭାବକବି ଗଙ୍ଗାଧରଙ୍କ ପ୍ରତିମୂର୍ତ୍ତି ନିକଟରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ନାଟ୍ୟକାର ପ୍ରଫୁଲକୁମାର ସାମଲ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରି କହିଥିଲେ ଯେ, ସ୍ଵଭାବକବି ଓଡ଼ିଶାର ଭାଷା ସୁରକ୍ଷାର ସେନାପତି ଥିଲେ । ନବ ଓଡିଶା ନିର୍ମାଣରେ ତାଙ୍କର ଅବଦାନ ଅତୁଳନୀୟ । ସମ୍ମାନିତ ଅତିଥି କବି ଦିବାକର ଦାସ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଇଂରେଜ ସରକାର ସମ୍ବଲପୁରରୁ ଓଡ଼ିଆ ଭାଷା ପରିବର୍ତ୍ତେ ହିନ୍ଦୀ ଭାଷା ପ୍ରଚଳନକୁ ଗଙ୍ଗାଧର ତୀବ୍ର ବିରୋଧ କରିଥିଲେ, ଯାହାଫଳରେ ଓଡ଼ିଆ ଭାଷା ପୁନଃ ପ୍ରଚଳନ ହୋଇଥିଲା । ଓଡ଼ିଆ ଭାଷା ବିକାଶ ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ପୁଷ୍ପାଞ୍ଜଳି ଅର୍ପଣ କରି କହିଥିଲେ ଯେ, ଅନେକ କବି, ମାତୃଭାଷା ପ୍ରୀତିରେ ଅନୁପ୍ରାଣିତ ହୋଇ ସାହିତ୍ୟସୃଷ୍ଟି କରିଛନ୍ତି, କିନ୍ତୁ ସେମାନଙ୍କ ଭିତରେ ଅଧିକ ମାତୃଭାଷା ପ୍ରୀତି ଛଳଛଳ କବିତା ଲେଖି ଅମର ହୋଇଛନ୍ତି କବି ଗଙ୍ଗାଧର ମେହେର । ତାଙ୍କର ସେହି ଦୁଇ ଧାଡି କବିତା ଥିଲା,
‘ଉଚ୍ଚ ହେବା ପାଇଁ କର ଯେବେ ଆଶା
ଉଚ୍ଚ କର ଆଗ ନିଜ ମାତୃଭାଷା’ ।
ଏହା ସତ୍ୱେ ଆଜି ଆଉ ଉଚ୍ଚ ମଧ୍ୟବିତ୍ତ ଘରୁ ଓଡ଼ିଆ ଭାଷା ଶୁଭୁନାହିଁ । ତେଣୁ ଆସ, ଆଜିର ଦିନରେ ଶପଥ ନେବା, ଚୁଲି ମୁଣ୍ଡରୁ ରାଜରାସ୍ତା ଯାଏ ଓଡ଼ିଆ ଭାଷା ବ୍ୟବହାର କରିବା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସାଇ ସାହୁ, ନନ୍ଦଲାଲ ସାହୁ, କମଳେଶ ସାହୁ, ରୋହିତ ସାହୁ, ରିଙ୍କୁ ସାହୁ, ଦୁଃଶାସନ ମଲ୍ଲିକ୍ ଯୋଗଦେଇ ଭକ୍ତି ସୁମନ ଅର୍ପଣ କରିଥିଲେ ।

Leave A Reply

Your email address will not be published.