jayashree

୩୦ ଚୋରି ଓ ହଜିଥିବା ମୋବାଇଲ୍‌ ଉଦ୍ଧାର : ମାଲିକଙ୍କୁ ଫେରାଇଲା ଖପ୍ରାଖୋଲ ପୋଲିସ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଚୋରି ଓ ହଜିଯାଇଥିବା ମୋବାଇଲ୍‌ ଫୋନ୍‌ ଉଦ୍ଧାର କରି ମାଲିକଙ୍କୁ ଫେରାଇବାରେ ଖପ୍ରାଖୋଲ ପୋଲିସକୁ ବଡ଼ ସଫଳତା ମିଳିଛି । ଖପ୍ରାଖୋଲ ଥାନାରେ ରୁଜୁ ହୋଇଥିବା ୫୦ଟି ମାମଲାର ତଦନ୍ତ କରି ପୋଲିସ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୩୦ଟି ମୋବାଇଲ୍‌ ଉଦ୍ଧାର କରିଛି । ଉଦ୍ଧାର ମୋବାଇଲ୍‌ଗୁଡ଼ିକର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା । ଏସ୍‌ପି ଅଭିଳାଶ ଜିଙ୍କ ନିର୍ଦ୍ଦେଶକ୍ରମେ ଥାନାଧିକାରୀ ନରେନ୍ଦ୍ର ଛତରଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟେକ୍ନିକାଲ ଟିମ୍‌ ଗତ ଜୁନ୍‌ ମାସରୁ ମୋବାଇଲ୍‌ ଗୁଡ଼ିକର ଆଇଏମ୍‌ଇଆଇ ନମ୍ବର ଟ୍ରାକ୍‌ କରି ତଦନ୍ତ ଆରମ୍ଭ କରିଥିଲା । ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩୦ଟି ମୋବାଇଲ୍‌ ଜବତ କରାଯାଇଥିଲା । ଉଦ୍ଧାର ମୋବାଇଲ୍‌ଗୁଡ଼ିକୁ ପ୍ରକୃତ ମାଲିକଙ୍କୁ ଫେରାଇବା ପାଇଁ ଖପ୍ରାଖୋଲ ଥାନା ପରିସରରେ ମୋବାଇଲ୍‌ ବିତରଣ ମେଳା ଆୟୋଜିତ ହୋଇଥିଲା । ଆବଶ୍ୟକ ପ୍ରମାଣପତ୍ର ଓ ପରିଚୟପତ୍ର ଯାଞ୍ଚ ପରେ ଉପଖଣ୍ଡ ପୋଲିସ ଅଧିକାରୀ ସଦାନନ୍ଦ ପୂଝାରୀ ମାଲିକମାନଙ୍କୁ ମୋବାଇଲ୍‌ ହସ୍ତାନ୍ତର କରିଥିଲେ । ଦୀର୍ଘଦିନ ପରେ ମୋବାଇଲ୍‌ ଫେରିପାଇ ମାଲିକମାନଙ୍କ ମୁହଁରେ ହସ ଫୁଟିଥିଲା । କାର୍ଯ୍ୟକ୍ରମରେ ଏସ୍‌ଆଇ ଲିଙ୍ଗରାଜ କିଷାନ, କନେଷ୍ଟବଲ ଦୟାନିଧି ମେହେର, ସଞ୍ଜୁ ପଧାନ, ସୁକାନ୍ତି ମାଡକାମୀ, ରଞ୍ଜିତ ପୂଝାରୀ ଏବଂ ଟେକ୍ନିକାଲ ଟିମ୍‌ର ବାବୁଲାଲ ମଲ୍ଲିକ, ଲଲାଟେନ୍ଦୁ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ମୋବାଇଲ୍‌ ଉଦ୍ଧାର କରି ମାଲିକଙ୍କୁ ଫେରାଇବା ପାଇଁ ପୋଲିସର ଏହି ପଦକ୍ଷେପକୁ ଲୋକେ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.