jayashree

ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଧାୟକ ପାଣ୍ଠିରୁ ବ୍ୟାରିକେଡ୍‌ : ଆଗକୁ ସହରରେ ସିସିଟିଭି ବ୍ୟବସ୍ଥା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରରେ ବଢୁଥିବା ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ଓ ଜନସୁରକ୍ଷାକୁ ସୁଦୃଢ଼ କରିବା ଦିଗରେ ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ପଦକ୍ଷେପ । ବିଧାୟକ ପାଣ୍ଠିରୁ ବଲାଙ୍ଗିର ପୋଲିସ ପ୍ରଶାସନକୁ ବିଭିନ୍ନ ଛକରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାରିକେଡ୍ ଯୋଗାଇ ଦିଆଯାଇଛି । ଶନିବାର ବଲାଙ୍ଗିର ଆଦର୍ଶ ଥାନା ପରିସରରେ ଏହି ଟ୍ରାଫିକ ବ୍ୟାରିକେଡ୍‌ର ଶୁଭ ଉଦ୍‌ଘାଟନ କରିଥିଲେ ବିଧାୟକ ଶ୍ରୀ ସିଂହଦେଓ । ବିଧାୟକଙ୍କ ଏହି ପଦକ୍ଷେପର ଲକ୍ଷ୍ୟ ସହରର ବ୍ୟସ୍ତ ବହୁଳ ଛକ ଗୁଡ଼ିକରେ ଟ୍ରାଫିକ ଚଳାଚଳକୁ ନିୟମିତ କରିବା ସହ ଦୁର୍ଘଟଣା ଓ ଯାତାୟାତ ଜନିତ ସମସ୍ୟାକୁ ହ୍ରାସ କରିବା । ଏହି ଅବସରରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ଆରକ୍ଷୀ ଅଧିକ୍ଷକ ଅଭିଲାଶ ଜି, ଟାଉନ ଥାନା ଅଧିକାରୀ ଅବନୀ ସାହୁ, ଟ୍ରାଫିକ ଇନ୍ସପେକ୍ଟରଙ୍କ ସମେତ ବିଭିନ୍ନ ୱାର୍ଡର କାଉନସିଲରମାନେ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ, ସହରର ବିଭିନ୍ନ ପଡ଼ା ଓ ପ୍ରମୁଖ ସ୍ଥାନରେ ଟ୍ରାଫିକ ନିୟନ୍ତ୍ରଣ ଏବଂ ଅପରାଧ ନିରୋଧ ସହ ଜନସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ସ୍ଥାପନ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ବିଧାୟକଙ୍କୁ ଅନୁରୋଧ କରାଯାଇଥିଲା । ଏହା ଉପରେ ବିଧାୟକ ଶ୍ରୀ ସିଂହଦେଓ ଆବଶ୍ୟକ ସହଯୋଗ ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ । ବଲାଙ୍ଗିର ସହରର ଟ୍ରାଫିକ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ, ନିରାପଦ ଓ ଆଧୁନିକ କରିବା ସହ ନାଗରିକଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଆଗାମୀ ଦିନରେ ମଧ୍ୟ ଆବଶ୍ୟକ ପଦକ୍ଷେପ ଜାରି ରହିବ ବୋଲି ବିଧାୟକ କହିଛନ୍ତି ।

Leave A Reply

Your email address will not be published.