
ବରଗଡ, (ମୁନ୍ନା ସାହୁ) : ଆଜି ସଂଯୁକ୍ତ କୃଷକ ସଂଗଠନ ବରଗଡ଼ ତରଫରୁ ଅଗ୍ରଗାମୀ ଯୁବକ ସଂଘ ଠାରେ ପ୍ରେସ ବାର୍ତ୍ତାର ଆଯୋଜନ କରାଯାଇଥିଲା । ଏହି ପ୍ରେସ ବାର୍ତ୍ତା ସମୟରେ ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ଉତ୍ପନ୍ନ ଭୋଇ, ଅଜିତ ଶତପଥୀ, ରମେଶ ମହାପାତ୍ର, ସୁଦାମ ପାତ୍ର, ଭୁବନ ପଧାନ, ରବିଶଙ୍କର ପଧାନ, ଥବିର ସାହୁ, ଟେକରାଜ ପଧାନ, କିଶୋର ସାହୁ, ବୀରବଲ ମହାକୁଡ଼, ସୁରେନ୍ଦ୍ର ସାହୁ ଏବଂ ସୁବ୍ରତ ପଧାନ ମଞ୍ଚାସୀନ ଥିଲେ । ସେମାନଙ୍କ କହିବା ଅନୁସାରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନ କ୍ରମେ ଆସନ୍ତା ୧୦ ଅଗଷ୍ଟରେ ୮୪ ତମ କ୍ରାନ୍ତି ଦିବସ ଅବସରରେ ସାରାକରମାନଙ୍କ ଚାଷୀ ମାରଣ ନୀତି ବିରୋଧରେ ଦେଶର ୧୦୦୦ଟି ସ୍ଥାନରେ ରେଳ ରୋକ, ରାସ୍ତା ରୋକ, ଜେଲ ଭରୋ ଭଳି ପ୍ରତିବାଦ କାର୍ଯ୍ୟକ୍ରମ ହେବ । ବରଗଡ଼ରେ ମଧ୍ୟ ସଂଯୁକ୍ତ କୃଷକ ସଙ୍ଗଠନ ପକ୍ଷରୁ ଏସ୍ ପି, ବରଗଡ଼ ଏସ୍.ଡି.ପି ପଦ୍ମପୁର ଓ ଏବଂ ଅତାବିରା ପୋଲିସ ଷ୍ଟେସନ ସମ୍ମୁଖରେ ପ୍ରତିବାଦ ସଭା ସହିତ ଜେଲ ଭରୋ କାର୍ଯ୍ୟକ୍ରମ କରିବା ପାଇଁ ଘୋଷଣା କରିଛନ୍ତି । ତାଙ୍କର ପ୍ରମୁଖ ଦାବୀ ମଧ୍ୟରେ ଆମେରିକା ଭାରତ ଡିଲ, ସବୁ ଚାଷୀଙ୍କ ଋଣ ଛାଡ଼, ଫସଲର ଉଚିତ ମୂଲ୍ୟ ଏବଂ ବଜାର ବ୍ୟବସ୍ଥା, ରାସାୟନିକ ସାର, ଘରୋଇ ବିଦ୍ୟୁତ ବିଲ, ବିହନ ବିଲ ୨୦୨୫, ଶ୍ରମିକ ସୁରକ୍ଷା, ମନରେଗା, ଜମି ଅଧିଗ୍ରହଣ ଏବଂ ସ୍ଥାନୀୟ ଦାବୀ ଲଘୁଚାପ ଜନିତ କ୍ଷତିପୂରଣ, ସାର କଳାବଜାରୀ, ଫସଲ ବୀମା ଏବଂ ଧାନ କାର୍ଡ ପଞ୍ଜିକରଣ ବେଳେ ଏଗ୍ରିଷ୍ଟାକକୁ ବିରୋଧ କରାଯାଇଛି ।