jayashree

ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମା’ ଓ ଶିଶୁଙ୍କ ସୁସ୍ଥ ଭବିଷ୍ୟତ ପାଇଁ ସ୍ତନ୍ୟପାନ ସମ୍ପର୍କରେ ସଠିକ୍ ଜ୍ଞାନ, ସକାରାତ୍ମକ ଅଭ୍ୟାସ ଏବଂ ପରିବାର ଓ ସମୁଦାୟର ସହଯୋଗ ବୃଦ୍ଧି କରିବା ଉଦ୍ଦେଶ୍ୟରେ ପଲ୍ଲୀ ଆଲୋକ ପାଠାଗାର ପକ୍ଷରୁ ଚାଇଲ୍ଡ ରାଇଟ୍ସ ଆଣ୍ଡ ୟୁ କୋଲକାତାର ସହଯୋଗରେ ବିଭିନ୍ନ ଅଞ୍ଚଳରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳନ କରାଯାଇଛି । ଏହି ଅବସରରେ ବରଗଡ଼ ଜିଲ୍ଲାର ପାଇକମାଲ ବ୍ଲକର ପଲସଡ଼ା ଓ କେର୍ମେଲାବାହାଲ, ଗାଇସିଲେଟ ବ୍ଲକର କଟାବାହାଲ ଏବଂ ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ବ୍ଲକର ଫଟାମୁଣ୍ଡା ଓ ଭରତବାହାଲ ଗ୍ରାମପଞ୍ଚାୟତରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମଗୁଡ଼ିକରେ ସଚେତନତା କର୍ମଶାଳା, କୁଇଜ୍ ପ୍ରତିଯୋଗିତା, ଶପଥ ଗ୍ରହଣ, ଜନସଚେତନତା ରାଲି ଏବଂ ‘ଆୟ ଓ ବ୍ୟୟ’ ଭଳି ଶିକ୍ଷଣୀୟ ଖେଳ ଆୟୋଜନ କରାଯାଇଥିଲା । ଖେଳ ଓ ପ୍ରତିଯୋଗିତା ମାଧ୍ୟମରେ ମା’ ଓ ଶିଶୁଙ୍କ ପୋଷଣ, ସ୍ତନ୍ୟପାନ ଏବଂ ପରିବାରର ଭୂମିକା ସମ୍ପର୍କରେ ସହଜ ଓ ଆକର୍ଷଣୀୟ ଭାବରେ ସନ୍ଦେଶ ପହଞ୍ଚାଯାଇଥିଲା । ସଚେତନତା କାର୍ଯ୍ୟକ୍ରମରେ ଶିଶୁ ଜନ୍ମ ପରେ ଯଥାଶୀଘ୍ର କୋଲଷ୍ଟ୍ରମ୍ ବା ପ୍ରଥମ କ୍ଷୀର ପିଆଇବା ଏବଂ ଶିଶୁର ଜୀବନର ପ୍ରଥମ ୬ ମାସ ପର୍ଯ୍ୟନ୍ତ କେବଳ ମା’ କ୍ଷୀର ଦେବାର ଗୁରୁତ୍ୱ ଉପରେ ବିଶେଷ ଆଲୋଚନା କରାଯାଇଥିଲା । କୋଲଷ୍ଟ୍ରମ୍ ଶିଶୁର ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେବା ସହିତ ସ୍ତନ୍ୟପାନ ଶିଶୁର ସଠିକ୍ ବୃଦ୍ଧି ଓ ବିକାଶ ପାଇଁ ଆବଶ୍ୟକ ପୋଷଣ ଯୋଗାଇଥାଏ ବୋଲି ବୁଝାଯାଇଥିଲା । ଏହା ସହିତ ସ୍ତନ୍ୟପାନର ମା’ଙ୍କ ପାଇଁ ଥିବା ବିଭିନ୍ନ ଉପକାରିତା ଏବଂ ମା’ଙ୍କୁ ପରିବାର ପକ୍ଷରୁ ଆବଶ୍ୟକ ସହଯୋଗ ଦେବାର ଗୁରୁତ୍ୱ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ସଠିକ୍ ସ୍ତନ୍ୟପାନ ପଦ୍ଧତି, ଶିଶୁକୁ ଠିକ୍ ଭାବରେ ଧରିବା, ସଠିକ୍ ଲାଚିଂ ଏବଂ ମା’ ଓ ଶିଶୁର ଶାରୀରିକ ସମ୍ପର୍କର ଗୁରୁତ୍ୱ ବିଷୟରେ ମଧ୍ୟ ଅଂଶଗ୍ରହଣକାରୀମାନଙ୍କୁ ଜଣାଇ ଦିଆଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ସମୁଦାୟ ନେତୃବୃନ୍ଦ, ମା’ ଗୋଷ୍ଠୀ, ଗର୍ଭବତୀ ମହିଳା, ସ୍ତନ୍ୟଦାନକାରୀ ମା’ ଏବଂ କିଶୋରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ଅଂଶଗ୍ରହଣକାରୀମାନେ କୋଲଷ୍ଟ୍ରମ୍ ଓ ଏକ୍ସକ୍ଲୁସିଭ୍ ବ୍ରେଷ୍ଟଫିଡିଂର ଗୁରୁତ୍ୱ ଜାଣିବା ସହିତ ନିଜ ପରିବାର ଓ ସମୁଦାୟରେ ସଠିକ୍ ସ୍ତନ୍ୟପାନ ଅଭ୍ୟାସକୁ ପ୍ରୋତ୍ସାହନ ଦେବା ପାଇଁ ସଂକଳ୍ପ ନେଇଥିଲେ । ପରିବାରର ସହଯୋଗ ଓ ସମୁଦାୟର ସକାରାତ୍ମକ ପରିବେଶ ଥିଲେ ଜଣେ ମା’ ସହଜରେ ଶିଶୁକୁ ସଠିକ୍ ଭାବରେ ସ୍ତନ୍ୟପାନ କରାଇପାରିବେ । ତେଣୁ ମା’ଙ୍କୁ ଏକାକୀ ଦାୟିତ୍ୱ ନଦେଇ ପରିବାରର ସମସ୍ତ ସଦସ୍ୟ, ଅଙ୍ଗନୱାଡ଼ି କର୍ମୀ, ଆଶା ଓ ସମୁଦାୟ ନେତାମାନେ ମିଳିତ ଭାବରେ ସହଯୋଗ କରିବା ଆବଶ୍ୟକ ବୋଲି କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା । ସମଗ୍ର କାର୍ଯ୍ୟକ୍ରମକୁ ପଲ୍ଲୀ ଆଲୋକ ପାଠାଗାରର ପ୍ରକଳ୍ପ ସଂଯୋଜକ ହୀରାଲାଲ ମିଶ୍ର, ପ୍ରଶାନ୍ତ ଥାପା, ଶ୍ରୀମତୀ ଲିଲିମା ପଧାନ, ଶ୍ରୀମତୀ ରଶ୍ମିତା ବାରିକ, ଶ୍ରୀମତୀ ସସ୍ମିିତା ମିଶ୍ର ଏବଂ ପ୍ରଶାନ୍ତ କୁଅଁରଙ୍କ ସମନ୍ୱୟରେ ସଫଳତାର ସହ ଆୟୋଜନ କରାଯାଇଥିଲା । ଏହି ଅଭିଯାନ ମାଧ୍ୟମରେ “ସଠିକ୍ ଜ୍ଞାନ, ସଠିକ୍ ଅଭ୍ୟାସ ଓ ସମସ୍ତଙ୍କ ସହଯୋଗ ସୁସ୍ଥ ମା’ ଓ ସୁସ୍ଥ ଶିଶୁର ଆଧାର” ବାର୍ତ୍ତାକୁ ଗ୍ରାମ ସ୍ତରରେ ପହଞ୍ଚାଇବା ସହିତ ସ୍ତନ୍ୟପାନକୁ ନେଇଥିବା ଭୁଲ ଧାରଣା ଦୂର କରିବା ଏବଂ ସକାରାତ୍ମକ ପରିବାରିକ ଓ ସାମାଜିକ ପରିବେଶ ଗଠନ ପାଇଁ ପ୍ରୟାସ କରାଯାଇଥିଲା ।

Leave A Reply

Your email address will not be published.