jayashree

ହାତୀପଲ ଆକ୍ରମଣରେ ଗୁରୁତର ସର୍ଗୁଲର ଆଦିବାସୀ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କଲେ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଇଚ୍ଛାପଡ଼ା ପଞ୍ଚାୟତ ସର୍ଗୁଲ ଗ୍ରାମରେ ଗତ ବୁଧବାର ମଧ୍ୟରାତ୍ରୀରେ ଏକ ହାତୀପଲ ଆକ୍ରମଣ କରି ଅନୁସୂଚିତ ଜନଜାତିର ଗରିବ ବ୍ୟକ୍ତି ଲିଙ୍ଗରାଜ ଭୋଇଙ୍କ ବାସଗୃହକୁ ସମ୍ପୂର୍ଣ୍ଣ ଭାବେ ଧ୍ବଂସ କରିଦେଇଛନ୍ତି । ଘରେ ଥିବା ସମସ୍ତ ବାସନକୁସନ, ପୋଷାକ, ଚାଉଳ ଓ ରାସନ ସାମଗ୍ରୀ, ଶଯ୍ୟା, କବାଟ ସହ ସମସ୍ତ ଘରୋଇ ସାମଗ୍ରୀ ନଷ୍ଟ ହୋଇଯାଇଛି । ଆକ୍ରମଣରେ ଲିଙ୍ଗରାଜ ଭୋଇ, ତାଙ୍କ ପତ୍ନୀ ସୁମିତ୍ରା ଭୋଇ, ଦୁଇ ସନ୍ତାନ ପୁଅ ମାନସ ଭୋଇ ଓ ଝିଅ ମାନସୀ ଭୋଇ ଗୁରୁତର ଆହତ ହୋଇ ବର୍ତ୍ତମାନ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଚିକିତ୍ସାଧୀନ ଅଛନ୍ତି । ଏହି ଘଟଣା ପରେ ପରିବାରଟି ସମ୍ପୂର୍ଣ୍ଣ ଭାବେ ବାସହୀନ ହୋଇ ଅତ୍ୟନ୍ତ ଦୟନୀୟ ପରିସ୍ଥିତିରେ ସୃଷ୍ଟି ହୋଇଛି । ଶୁକ୍ରବାର ପୂର୍ବତନ ବିଜେଡ଼ି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଲା ମାଝୀ, ମୁରିବାହାଲ ବ୍ଲକ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ରାଜୀବ କୁଅଁର, ବିଶ୍ୱାମିତ୍ର ଭୋଇ, ଅଗସ୍ତି ଶିକା, ମକରଧ୍ଵଜ ଧରୁଆ, ଜୟଲାଲ ସିଂ ମାଝି, ହରି ମାଝି, ଅନୁପମ ବେଣ୍ଟକାରଙ୍କ ସହ ଆଦିବାସୀ କର୍ମକର୍ତ୍ତା ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ସେମାନେ କ୍ଷୟକ୍ଷତିର ସମୀକ୍ଷା କରି ପରିବାରର ଦୁର୍ଦ୍ଦଶା ପ୍ରତି ଗଭୀର ସମବେଦନା ପ୍ରକାଶ କରିଥିଲେ । ଶ୍ରୀ ବିଶି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀଙ୍କୁ ଚିଠି ଲେଖି ପୀଡ଼ିତ ପରିବାରକୁ ୨୦ ଲକ୍ଷ ଟଙ୍କା ସ୍ଵତନ୍ତ୍ର କ୍ଷତିପୂରଣ, ଘର ପୁନଃନିର୍ମାଣ, ସମ୍ପୂର୍ଣ ପୁନର୍ବାସ, ମାଗଣା ଚିକିତ୍ସା ଓ ତୁରନ୍ତ ରିଲିଫ ସହାୟତା ପ୍ରଦାନ କରିବାକୁ ଦାବୀ କରିଛନ୍ତି । ସେହିପରି ବ୍ଲକ ଅଞ୍ଚଳରେ ଦୀର୍ଘ ୨ବର୍ଷ ଧରି ଚାଲିଥିବା ହାତୀ-ମଣିଷ ସଂଘର୍ଷ ରୋକିବା ପାଇଁ ଏହାର ସ୍ଥାୟୀ ପ୍ରତିରୋଧ ବ୍ୟବସ୍ଥା ଗ୍ରହଣ କରିବାକୁ ମଧ୍ୟ ସେ ଦୃଢ଼ ଦାବି କରିଛନ୍ତି ।

Leave A Reply

Your email address will not be published.