
- ଘରେ ଶୋଇଥିବା ବେଳେ ରକ୍ତମୁଖା ହାତୀପଲ ଆକ୍ରମଣରେ ପରିବାରର ୪ ଗୁରୁତର
- ମେଡିକାଲରେ ଭର୍ତ୍ତି
- ଘର ସମ୍ପୂର୍ଣ୍ଣ ଚୁରମାର
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଅଞ୍ଚଳରେ ଦୀର୍ଘ ୨ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଆତଙ୍କ ସୃଷ୍ଟି କରୁଥିବା ୧୬ଟିକିଆ ହାତୀପଲଙ୍କ ଆତଙ୍କ ବୁଧବାର ରାତିରେ ପୁଣି ଦେଖିବାକୁ ମିଳିଛି । ହାତୀପଲଙ୍କ ଆକ୍ରମଣରେ ଘରେ ଶୋଇଥିବା ଇଛାପଡ଼ା ପଞ୍ଚାୟତ ସର୍ଗୁଲ ଗ୍ରାମର ଲିଙ୍ଗରାଜ ଭୋଇଙ୍କ ଘର ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ବେଳେ ତାଙ୍କ ପରିବାରର ୪ଜଣ ଅତ୍ୟନ୍ତ ଗୁରୁତର ଆହତ ହୋଇ ସଙ୍କଟାପନ୍ନ ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବୁଧବାର ମଧ୍ୟରାତି ୨ଟାରେ ପାଟଣାଗଡ଼ ରେଞ୍ଜ ଅଞ୍ଚଳରୁ ଏକ ୧୬ଟିକିଆ ହାତୀପଲ ଲାନ୍ଥ ନଦୀ ପାର ହୋଇ ସର୍ଗୁଲ ଗ୍ରାମକୁ ପଶି ଆସିଥିଲେ । ରକ୍ତମୁଖା ହାତୀପଲ ଆକ୍ରମଣ କରି ଗାଁ ଶେଷ ମୁଣ୍ଡରେ କଞ୍ଚା ଇଟା ଓ ଆଜବେଷ୍ଟସ ଘର କରିଥିବା ଲିଙ୍ଗରାଜଙ୍କ ଘରକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଚୁରମାର କରିଦେଇଥିଲେ । ଏହି ଆକ୍ରମଣ ବେଳେ ଘର ଭିତରେ ଶୋଇଥିବା ଲିଙ୍ଗରାଜ(୪୫), ତାଙ୍କ ସ୍ତ୍ରୀ ସୁମିତ୍ରା (୪୦), ପୁଅ ମାନସ (୧୨) ଓ ଝିଅ (୪) ଗୁରୁତର ଆହତ ହୋଇଥିଲେ । ହାତୀପଲ ନିକଟରୁ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବା ଗୁରୁତର ୪ଜଣଙ୍କୁ ଉଦ୍ଧାର କରି ଗ୍ରାମବାସୀ ମେଡିକାଲରେ ଭର୍ତ୍ତି କରିଥିଲେ । ଗୁରୁତରଙ୍କୁ ପ୍ରଥମେ ପାଟଣାଗଡ଼, ପରେ ଅବସ୍ଥା ଗୁରୁତର ହେବାରୁ ସମସ୍ତ ୪ଜଣଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ ଓ ଶେଷ ଖବର ସୁଦ୍ଧା ଅତି ସଙ୍କଟାପନ୍ନ ୨ଜଣଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ମୁରିବାହାଲ ରେଞ୍ଜରେ ଥିବା ଅନ୍ୟ ହାତୀପଲଙ୍କ ଗତିବିଧି ନିରୀକ୍ଷଣ କରୁଥିବା ଗୁଡିଘାଟ ବିଟ୍ ତଥା ବନବିଭାଗ କର୍ମଚାରୀମାନେ ଖବର ପାଇ ରାତିରେ ତୁରନ୍ତ ସର୍ଗୁଲ ଗ୍ରାମକୁ ପହଞ୍ଚିଥିଲେ । ଗୁରୁତର ଆହତ ୪ଜଣଙ୍କୁ ଉଦ୍ଧାର କରି ଗ୍ରାମବାସୀ ଓ ବନବିଭାଗ ପକ୍ଷରୁ ଆମ୍ବୁଲାନ୍ସ ନ ମିଳିବାରୁ ଏକ ଘରୋଇ ଗାଡ଼ି ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଖବର ପାଇ ସକାଳୁ ଇଚ୍ଛାପଡ଼ା ସମିତି ସଭ୍ୟ ତୋଫାନ ନାଗ, ତହସିଲଦାର ଜଗଦୀଶ କର୍ତ୍ତାମୀ, ବିଡ଼ିଓ ବାସନ୍ତୀ ସେଠୀ, ଇଚ୍ଛାପଡ଼ା ଆର୍ଆଇ ସୁନୀଲ କୁମାର ନାୟକ, ସ୍ୱେଚ୍ଛାସେବୀ ଚିନ୍ତାମଣି ବେହେରା, ହିମାଂଶୁ ଥପା ଓ ସମସ୍ତ ଜଙ୍ଗଲ ବିଭାଗ କର୍ମଚାରୀମାନେ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିଲେ । ଦୀର୍ଘ ୨ବର୍ଷ ଧରି ହାତୀପଲ ଏହି ରେଞ୍ଜ ଅଞ୍ଚଳରେ ରହି ଆତଙ୍କ ସୃଷ୍ଟି ଜାରି ରଖିଥିବା ବେଳେ ପୂର୍ବରୁ ଦୁଇଜଣ ନିରୀହଙ୍କ ଅକାଳରେ ଜୀବନ ଯିବା ସହ ବ୍ୟାପକ କ୍ଷୟକ୍ଷତି ହୋଇସାରିଛି । ବନବିଭାଗ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ତୁରନ୍ତ ପୀଡ଼ିତ ପରିବାରଙ୍କୁ ସମ୍ପୁର୍ଣ୍ଣ ମେଡିକାଲ୍ ଖର୍ଚ୍ଚ ସହ ଆବାସ ଯୋଜନାରେ ସାମିଲ କରି ସରକାରୀ ସହାୟତା ଯୋଗାଇ ଦେବାକୁ ସର୍ଗୁଲ ଗ୍ରାମବାସୀ ଦାବୀ କରିଛନ୍ତି । ଗୁରୁତର ଆହତ ପରିବାରଙ୍କୁ ସମସ୍ତ ପ୍ରକାରର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ତହସିଲଦାର ଜଗଦୀଶ କର୍ତ୍ତାମୀ ପ୍ରକାଶ କରିଛନ୍ତି । ଗୁରୁତରଙ୍କୁ ଅଧିକ ଚିକିତ୍ସା ପାଇଁ ବନବିଭାଗର କର୍ମଚାରୀମାନେ ସାଙ୍ଗରେ ମେଡିକାଲ ନେଇଥିଲେ । ଦୀର୍ଘ ୨ବର୍ଷ ଧରି ହାତୀପଲ ବ୍ଲକ ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଥିଲେ ମଧ୍ୟ ବନବିଭାଗ କି ଜିଲ୍ଲା ପ୍ରଶାସନ କୌଣସି ଦୃଢ଼ ପଦକ୍ଷେପ ନେଉନଥିବା ଇଚ୍ଛାପଡ଼ା ସମିତି ସଭ୍ୟ ତୋଫାନ ନାଗ ଗୁରୁତର ଅଭିଯୋଗ କରିଛନ୍ତି । ପାଟଣାଗଡ ରେଞ୍ଜ ଅଞ୍ଚଳରୁ ହଠାତ୍ ହାତୀପଲ ସର୍ଗୁଲ ଗାଁକୁ ପଶି ଆସି ଘରକୁ ଅତର୍କିତ ଆକ୍ରମଣ କରିଥିବା ବେଳେ ବନବିଭାଗ ପକ୍ଷରୁ ପୀଡ଼ିତ ପରିବାରଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବା ସହ ହାତୀପଲଙ୍କ ଗତିବିଧି ନିରୀକ୍ଷଣ କରାଯାଉଛି ବୋଲି ମୁରିବାହାଲର ଭାରପ୍ରାପ୍ତ ରେଞ୍ଜର ଡମ୍ବରୁଧର ପଧାନ ପ୍ରକାଶ କରିଛନ୍ତି ।