jayashree

ତବଲବାଞ୍ଜି ଗ୍ରାମବାସୀ – ପ୍ରଶାସନ ମୁହାଁମୁହିଁ

ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରେ ପ୍ରଭାବିତ ତବଲବାଞ୍ଜୀ ଗାଁରେ ବିସ୍ଥାପନକୁ ନେଇ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟିହୋଇଛି । ଆଜି ତୃତୀୟ ଦିନରେ ଜିଲ୍ଲା ପ୍ରଶାସନ ତରଫରୁ ଗାଁରେ ଲୋକଙ୍କ ଘରଭଙ୍ଗା ଚାଲିଥିବା ଦେଖିବାକୁ ମିଳିଛି । ଯେକୌଣସି ପରିସ୍ଥିତିରେ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ବଦ୍ଧ ପରିକର ଥିବା ମନେ ହେଉଛି । ଗତକାଲି ଗ୍ରାମର ପ୍ରାୟ ୧୪ ଜଣ ଭୂମିହୀନ ପରିବାରର ଘର ଭଙ୍ଗା ଯାଇଥିବା ବେଳେ ଏହାକୁ ତୀବ୍ର ବିରୋଧ କରୁଥିବା ମହିଳାମାନଙ୍କୁ ପୋଲିସ ଭ୍ୟାନ ମଧ୍ୟରେ ଅଟକ ରଖିଥିଲା । ଅବଶ୍ୟ କିଛି ସମୟ ପରେ ସେମାନଙ୍କୁ ଛାଡିଦେବା ସହିତ ଉଚ୍ଛେଦ କାର୍ଯ୍ୟ ପୁଣି ଜାରି ରଖିଥିଲା । ତେବେ ଉପଯୁକ୍ତ ଥଇଥାନ ଓ କ୍ଷତିପୂରଣ ବିନା ପ୍ରଶାସନ ଲୋକଙ୍କୁ ଜୋର୍ ଜବରଦସ୍ତ ବିସ୍ଥାପିତ କରୁଥିବା ଅଭିଯୋଗ ହେଉଛି । ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରେ ଆଂଶିକ ଭାବେ ପ୍ରଭାବିତ ତବଲବାଞ୍ଜି ଗାଁ ଲୋକେ ବିସ୍ଥାପିତ ହେଉଥିବା ବେଳେ ଚାଷଜମି କ୍ଷତିଗ୍ରସ୍ତ ହେଉନାହିଁ । ବିସ୍ଥାପିତ ଲୋକଙ୍କୁ ଏଠାରୁ ୨୦ କି.ମି. ଦୂର କୁଶମେଲ ଠାରେ ଥଇଥାନ ପାଇଁ ପ୍ରଶାସନର ଉଦ୍ୟମକୁ ଲୋକେ ବିରୋଧ କରୁଛନ୍ତି । ଏତେଦୂର ଆସି କିଭଳି ଚାଷ କାମ କରିବେ ବୋଲି ଗ୍ରାମବାସୀ ପ୍ରଶ୍ନ କରିବା ସହିତ ନିକଟସ୍ଥ ରାଣୀପାଲି ଗାଁ ନିକଟରେ ଥଇଥାନ କରିବାକୁ ପ୍ରଶାସନକୁ ପ୍ରସ୍ତାବ ଦେଇଥିଲେ । ତେବେ ଜିଲ୍ଲା ପ୍ରଶାସନ ସେ ଦିଗରେ କୌଣସି ପଦକ୍ଷେପ ନଦେଇ ଜୋର୍ ଜବରଦସ୍ତ ବିସ୍ଥାପନ କରୁଛି । ଏପରିକି ଗ୍ରାମର ୬ଟି ପରିବାର ବିସ୍ଥାପିତ ହେଉଥିବା ବେଳେ ସେମାନେ ଟଙ୍କାଟିଏ ମଧ୍ୟ ସହାୟତା ରାଶି ପାଇନାହାନ୍ତି । ଏଭଳି ସ୍ଥିତିରେ ଉପରୋକ୍ତ ୬ ଟି ପରିବାରର ଅବସ୍ଥା କଣ ହେବ ? ସେନେଇ ପ୍ରଶାସନ ନୀରବ ରହିଛି । ପ୍ରଶାସନକୁ ସହଯୋଗ କରିବାକୁ ଗ୍ରାମବାସୀ ପ୍ରସ୍ତୁତ ଥିବାବେଳେ ବଳ ପୂର୍ବକ ଲୋକଙ୍କୁ ସ୍ଥାନାନ୍ତର କରିବା ମାନବିକ ଅଧିକାରର ଉଲଂଘନ କରୁଥିବା ଚର୍ଚ୍ଚା ହେଉଛି । ଏପଟେ ପ୍ରଶାସନ ସମ୍ମୁଖରେ ନିରୀହ ଗ୍ରାମବାସୀ ଅସହାୟ ହୋଇପଡ଼ିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.