
ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟର ହଷ୍ଟେଲରୁ ସାମ୍ନାକୁ ଆସିଛି ଏଭଳି ଏକ ଗୁରୁତର ଘଟଣା । ଜଣେ ଛାତ୍ର ଓ ତାଙ୍କ କିଛି ସହପାଠୀ ମିଶି ନବମ ଶ୍ରେଣୀର ୨୦ରୁ ଊର୍ଦ୍ଧ୍ୱ ହଷ୍ଟେଲ ଅନ୍ତେବାସୀଙ୍କୁ ବେଟ୍ ଓ ବାଡ଼ିରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଘଟଣାଟି ରବିବାର ରାତିରେ ଘଟିଥିବା ବେଳେ, ଏହାର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ସୂଚନା ଅନୁଯାୟୀ, କିଛି ଛାତ୍ର ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ ଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ । ପରେ ଶିକ୍ଷକ ତାଙ୍କୁ ତାଗିଦ କରିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ସେ ଓ ତାଙ୍କ କିଛି ସହପାଠୀ ମିଶି ଅନ୍ୟ ଛାତ୍ରମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଘଟଣା ପରେ ହଷ୍ଟେଲରେ ରହୁଥିବା ଛାତ୍ରମାନଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି । ଏଭଳି ଘଟଣାରେ ବିଭାଗୀୟ ନିୟମ ଅନୁଯାୟୀ କ’ଣ ପଦକ୍ଷେପ ନିଆଯିବ, ତାହା ଉପରେ ମଧ୍ୟ ନଜର ରହିଛି । ତେବେ ହଷ୍ଟେଲ ପରିଚାଳନା ଦାୟିତ୍ୱରେ ଥିବା ଶିକ୍ଷକ ଡମ୍ବରୁଧର ତ୍ରିପାଠୀ କହିଛନ୍ତି, ମାଡ଼ ମାରିଥିବା ଅଭିଯୋଗ ହୋଇଥିବା ସମ୍ପୃକ୍ତ ଛାତ୍ରଙ୍କୁ ଆଜିଠାରୁ ବିଦ୍ୟାଳୟରୁ ବାହାର କରିଦିଆଯାଇଛି । ତାଙ୍କ ବିରୋଧରେ ସ୍ଥାନୀୟ ପୁଲିସ ଥାନାରେ ଲିଖିତ ଅଭିଯୋଗ କରିବାକୁ ମଧ୍ୟ ପଦକ୍ଷେପ ନିଆଯାଉଛି । ଅନ୍ୟପକ୍ଷରେ, ଘଟଣା ସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ଅସୀମା ରାଓ ସ୍ଥାନୀୟ ଡବ୍ଲୁଇଓଙ୍କୁ ରିପୋର୍ଟ ତଲବ କରିଛନ୍ତି । ଏହାସହ ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିବା ସେ ପ୍ରକାଶ କରିଛନ୍ତି । ଏବେ ବିଭାଗୀୟ ରିପୋର୍ଟ ଓ ପୁଲିସ ଅଭିଯୋଗ ପରେ ଘଟଣାରେ ଆହୁରି କଣ ପଦକ୍ଷେପ ନିଆଯାଉଛି, ତାହା ଉପରେ ସମସ୍ତଙ୍କ ନଜର ।