jayashree

ସୁନ୍ଦରଗଡ ଲେଖକ ସାମ୍ମୁଖ୍ୟର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ମଧୁସୂଦନ ପାଠାଗାର ମିଳିତ ଆନୁକୂଲ୍ୟରେ ଛେଣ୍ଡସ୍ଥିତ ପାଠାଗାର ପରିସରରେ ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଲେଖକ ସାମ୍ମୁଖ୍ୟର ମୁଖ୍ୟ ଉପଦେଷ୍ଟା ଇଂ. ଅଭୟ କୁମାର ଦାସଙ୍କ ସଭାପତିତ୍ୱ ଓ କବି ସୁଶାନ୍ତ କୁମାର ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ଆସରରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ ଓଡିଆ ଜାତିର ସୌନ୍ଦର୍ଯ୍ୟ ବୋଧ ଶୀର୍ଷକରେ ଆଲୋଚନା କରିବାକୁ ଯାଇ କହିଲେ ଯୁଗେ ଯୁଗେ ଏ ଜାତି ସୌନ୍ଦର୍ଯ୍ୟ ପିପାସୁ, ତା’ର କଳା ସଂସ୍କୃତି ଓ ପରିବେଶରେ ସର୍ବଦା ମନ ମୁଗ୍ଧକର ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଥାଏ । ମୁଖ୍ୟବକ୍ତା ଭାବେ ପ୍ରଧ୍ୟାପକ ଡ. ଅଶ୍ୱିନୀ କୁମାର ରାୟ ତାଙ୍କ ଭାଷଣରେ ସେ ଓଡିଆ ଜାତିର ଜୀବନ ଜୀବିକା ଛନ୍ଦମୟ କଳାତ୍ମକ ଅଭିବ୍ୟକ୍ତି, ଲାସ୍ୟମୟୀ କୋଣାର୍କର ଅଳସୀ କନ୍ୟାର ଓଠରେ ଲାବଣ୍ୟବତୀର ନୀଳପ୍ରୀତିର ସମ୍ଭାଷଣ, ଏ ଜାତିର ସାହିତ୍ୟ-ସଂଗୀତ ଓ ସଂସ୍କୃତିରେ ଅନନ୍ୟ ରୂପ, ତାରକସୀ, ମରାଳ ମାଳିନୀ ନୀଳାମ୍ବୁ ଚିଲିକାର ଦୃଶ୍ୟ, ମାଣବସା ଝୋଟି, କୃଷି କର୍ଷଣ, ସମ୍ବଲପୁରୀ ବାନ୍ଧଶାଢୀ, ଜାତୀୟ କଳା କାବ୍ୟ କୋଣାର୍କରେ ଏ ଜାତିର ସୌନ୍ଦର୍ଯ୍ୟ ବହୁ ଭାବେ ପ୍ରତିଭାତ ବୋଲି ମତ ରଖିଥିଲେ । ପ୍ରାରମ୍ଭରେ ଲେଖକ ସାମ୍ମୁଖ୍ୟର ସାଧାରଣ ସଂପାଦିକା ରଶ୍ମିବାଳା ରାଉତରାୟ ସାମ୍ମୁଖ୍ୟର ଆଭିମୁଖ୍ୟ ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ବିଶିଷ୍ଟ ଗାଳ୍ପିକା ମହାଶ୍ୱେତା ସାହୁ ଓ ନିକୁଞ୍ଜ ବିହାରୀ ଦାଶ ସୁନ୍ଦର ଗଳ୍ପ ପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଡା. ଗୀତାଞ୍ଜଳି ପତ୍ରୀଙ୍କ ସଭାପତିତ୍ୱ ଓ କବି ହୃଶିକେଷ ସାହୁ, କବି ଅର୍ଚ୍ଚନା ପାତ୍ରଙ୍କ ସଂଯୋଜନାରେ କବି ବ୍ରଜେନ୍ଦ୍ର ଦାଶ, ପ୍ରତାପ ପଣ୍ଡା, ଗୌତମ ଦାସ, ଦିବାକର ଦାଶ, ଉପେନ୍ଦ୍ର ବସ୍ତିଆ, ଦେବେନ୍ଦ୍ର ବଳ, ବଳରାମ ଦାଶ, ପ୍ରତାପ ରୁଦ୍ର ତ୍ରିପାଠୀ, ଅଜୟ ମହାନ୍ତି, ବିକ୍ରମ ଆଚାର୍ଯ୍ୟ, ନବଘନ ସାମଲ, ବ୍ରହ୍ମାନନ୍ଦ ପାଢୀ ପ୍ରମୁଖ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରଜ କିଶୋର ପାଣି, ଉପେନ୍ଦ୍ର ପ୍ରଧାନ, ସୂର୍ଯ୍ୟମଣୀ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ମଧୁସୂଦନ ପାଠାାରର ସାଧାରଣ ସଂପାଦକ ବିଜୟ କୁମାର ବରାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.