jayashree

ଜରାସିଂହାରେ ‘ଆସ ଗଢ଼ିବା ସଂସ୍କାରବାନ ପିଢ଼ି’ କାର୍ଯ୍ୟକ୍ରମ ଅନୁଷ୍ଠିତ

​ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହା ଗ୍ରାମରେ ଗାୟତ୍ରୀ ପରିବାର ତରଫରୁ “ଆସ ଗଢ଼ିବା ସଂସ୍କାରବାନ ପିଢ଼ି” ଗର୍ଭାଧାନ ସଂସ୍କାର କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି । ​ଏହି ଅବସରରେ ବଲାଙ୍ଗିର ଗାୟତ୍ରୀ ପରିବାରର ମୋକ୍ଷଦା ଶର୍ମା ଏବଂ ମହିଳା ମଣ୍ଡଳର ସଦସ୍ୟାମାନେ ଯୋଗଦେଇ ପୂଜାର୍ଚ୍ଚନା, ଯଜ୍ଞ ଏବଂ ଦୀପଯଜ୍ଞ କାର୍ଯ୍ୟକ୍ରମ ସୂଚାରୁ ରୂପେ ସଞ୍ଚାଳନ କରିଥିଲେ । ​​ଏଥିରେ ଗ୍ରାମର ବହୁ ସଂଖ୍ୟାରେ ଗର୍ଭବତୀ ମାଆମାନେ ଅଂଶଗ୍ରହଣ କରିଥିଲେ । ଗାୟତ୍ରୀ ପରିବାର ତରଫରୁ ଗର୍ଭବତୀ ମାଆମାନଙ୍କୁ ଶିକ୍ଷା ଓ ମାର୍ଗଦର୍ଶନ ଦିଆଯାଇଥିଲା ଯେ, କିପରି ଉତ୍ତମ ଆଚାର-ବିଚାର, ସଂସ୍କାର ଓ ସାଧନା ମାଧ୍ୟମରେ ଏକ ‘ଦେବ ମାନବ’କୁ ଜନ୍ମ ଦିଆଯାଇପାରିବ । ଏହି ନିଷ୍ଠାପର କାର୍ଯ୍ୟକ୍ରମର ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଆଶାକର୍ମୀ ସୁଷମା ସାହୁଙ୍କ ପ୍ରଚେଷ୍ଟାକୁ ଉଚ୍ଚ ପ୍ରଶଂସା କରାଯାଇଥିଲା ଏବଂ ତାଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଜରାସିଂହା ଗାୟତ୍ରୀ ପରିବାରର ଅମୂଲ୍ୟ ମେହେର ଏବଂ ବଲାଙ୍ଗିର ମହିଳା ମଣ୍ଡଳର ସମସ୍ତ ସଦସ୍ୟାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।​ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଗାୟତ୍ରୀ ପରିବାରର ଜଗଦୀଶ ପ୍ରସାଦ କେଡିଆ, ସନ୍ତୋଷ କୁମାର ସାହୁ, ପ୍ରମୋଦ କୁମାର ସା, ରାଧାରମଣ କେଡିଆ ଏବଂ କରୁଣାକର ମେହେର ପ୍ରମୁଖ ବିଶେଷ ସହଯୋଗ କରିଥିଲେ । ​ସଭା ଶେଷରେ ଦେଓଗାଁ ବ୍ଲକ୍ ଗାୟତ୍ରୀ ପରିବାରର ସଭାପତି ମୋହନ ଲାଲ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.