jayashree

କତରକେଲା ରେଳ ଫାଟକରେ ଘଣ୍ଟା ଘଣ୍ଟା ଅପେକ୍ଷା : ଫାଟକରେ ଅଟକିଲା ଆମ୍ବୁଲାନ୍ସ, ସମାଧାନ ଦାବି ଜୋରଦାର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରୁ କେସିଙ୍ଗା ଯିବା ପାଇଁ କତରକେଲା ରେଳ ଫାଟକ ଦେଇ ଯାଇଥିବା ରାସ୍ତା ହେଉଛି ସବୁଠାରୁ ସୁବିଧାଜନକ । ଏହି ରାସ୍ତା ଦେଇ ଦୁଇ ସହର ମଧ୍ୟରେ ଦୂରତା ପ୍ରାୟ ୧୫ କିଲୋମିଟର ହୋଇଥିବାରୁ ପ୍ରତିଦିନ ଶତାଧିକ ଯାନବାହନ ଓ ଯାତ୍ରୀ ଏହି ମାର୍ଗ ବ୍ୟବହାର କରୁଛନ୍ତି । କିନ୍ତୁ ଟିଟିଲାଗଡ଼ ଏକ ପ୍ରମୁଖ ରେଳ ଜଙ୍କସନ୍ ହୋଇଥିବାରୁ ଏଠାରେ ବାରମ୍ବାର ଟ୍ରେନ୍ ଚଳାଚଳ ହୁଏ । ଫଳରେ କତରକେଲା ରେଳ ଫାଟକ ବାରମ୍ବାର ବନ୍ଦ ହେଉଥିବାରୁ ଉଭୟ ପାର୍ଶ୍ୱରେ ଦୀର୍ଘ ସମୟ ଧରି ଗାଡ଼ିର ଲମ୍ବା ଧାଡ଼ି ଲାଗି ରହୁଛି । ଏହା ଯାତ୍ରୀମାନଙ୍କ ପାଇଁ ନିୟମିତ ସମସ୍ୟାର କାରଣ ପାଲଟିଛି । ଆଜି ସନ୍ଧ୍ୟାରେ ମଧ୍ୟ ରେଳ ଫାଟକ ବନ୍ଦ ଥିବାବେଳେ ଜଣେ ରୋଗୀଙ୍କୁ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଦୀର୍ଘ ସମୟ ଧରି ଅଟକି ରହିଥିଲା । ଜରୁରୀକାଳୀନ ସେବା ମଧ୍ୟ ଏଭଳି ଭାବେ ବାଧାପ୍ରାପ୍ତ ହେବା ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଘଟଣାର ଭିଡିଓ ଜଣେ ସଚେତନ ନାଗରିକ ସୁଟିଂ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହୋଇଛି । ଭିଡିଓ ମାଧ୍ୟମରେ ରେଳ ବିଭାଗକୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାକୁ ଦାବି କରାଯାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ସ୍ଥାନରେ ଏକ ରେଳ ଓଭରବ୍ରିଜ୍ କିମ୍ବା ଅଣ୍ଡରପାସ୍ ନିର୍ମାଣ କରାଗଲେ ଦୈନନ୍ଦିନ ଯାତାୟାତ ସୁଗମ ହେବା ସହ ଜରୁରୀକାଳୀନ ସେବା ମଧ୍ୟ ବାଧାପ୍ରାପ୍ତ ହେବ ନାହିଁ । ଏହାକୁ ନେଇ ରେଳ ବିଭାଗ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ଜୋର ଧରିଛି ।

Leave A Reply

Your email address will not be published.