
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷଠାରେ ଅଗଷ୍ଟ ୧ ତାରିଖ ଦିନ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ‘ସମ୍ବଲପୁରୀ ଦିନ୍’ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମହା ବିଦ୍ୟାଳୟର ଅଧ୍ୟକ୍ଷ ଦିଗାମ୍ବର ଚାନ୍ଦ ସଭାପତିତ୍ୱ କରିଥିବା ବେଳେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ବଲପୁରୀ ସଂସ୍କୃତି, ଭାଷା ଓ ପରମ୍ପରାର ମହାନତା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ମଞ୍ଚରେ ଯୁକ୍ତ ଦୁଇ ବିଭାଗର ପ୍ରଭାରୀ ପ୍ରାଧ୍ୟାପକ ପ୍ରଭାତ କୁମାର ମହାପାତ୍ର, ଶିକ୍ଷକ କର୍ମଚାରୀ ସଂସଦର ସମ୍ପାଦକ ସନ୍ତୋଷ କୁମାର ମିଶ୍ର, ପ୍ରଶାସନିକ ମୁଖ୍ୟ ପ୍ରମୋଦ କୁମାର ତ୍ରିପାଠୀ ଏବଂ ଶୈକ୍ଷିକ ମୁଖ୍ୟ ଡ. ସରୋଜ କୁମାର ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଛାତ୍ର ଆନନ୍ଦ ତାଣ୍ଡିଙ୍କ ସୁମଧୁର ସ୍ୱାଗତ ସଂଗୀତରୁ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏହି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ମହା ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ମନମୁଗ୍ଧକର ସମ୍ବଲପୁରୀ ନୃତ୍ୟ, ଯାହା ସମଗ୍ର ପରିବେଶକୁ ସମ୍ବଲପୁରୀ ମାଟିର ମହକରେ ଆମୋଦିତ କରିଦେଇଥିଲା । ଶେଷରେ ଅଧ୍ୟାପିକା ଡ. ମମତାମୟୀ ଗୁରୁ ଉପସ୍ଥିତ ସମସ୍ତ ଅତିଥି, ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।