
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ କଳା ପରିଷଦ ପକ୍ଷରୁ ଶନିବାର ନୃସିଂହନାଥ ଠାରେ ଉତ୍ସାହର ସହ ସମ୍ବଲପୁରୀ ଦିନ୍ ପାଳିତ ହୋଇଯାଇଛି । ଏହି ଅବସରରେ ସମ୍ବଲପୁରୀ ସାହିତ୍ୟର ସ୍ରଷ୍ଟା ଗୁରୁ ସତ୍ୟନାରାୟଣ ବହିଦାର ଓ କବି ଶ୍ରୀଧର ପ୍ରଧାନଙ୍କ ଜନ୍ମଦିବସ ପାଳନ କରାଯିବା ସହ ସେମାନଙ୍କର ସମ୍ବଲପୁରୀ ଭାଷା ଓ ସାହିତ୍ୟ ପ୍ରତି ଅବଦାନକୁ ସ୍ମରଣ କରାଯାଇଥିଲା । ମାତୃ ପ୍ରସାଦ ରଥ ସଭାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ଗିରିଶ ଚନ୍ଦ୍ର ନାୟକ ସଭାକୁ ଉଦଘାଟନ କରି ଗୁରୁ ବହିଦାରଙ୍କ ସାହିତ୍ୟିକ ଅବଦାନ ଉପରେ ଆଲୋକପାତ କରିଥିଲେ । ସମ୍ବଲପୁରୀ ଭାଷା ଓ ସାହିତ୍ୟର ସୁରକ୍ଷା ଏବଂ ସମୃଦ୍ଧି ପାଇଁ ସମସ୍ତଙ୍କୁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ । ବରିଷ୍ଠ କଳାକାର ତ୍ରିଲୋଚନ ମେହେର ଓ ଗୋପୀନାଥ ପ୍ରଧାନ ଗୁରୁ ବହିଦାରଙ୍କ ରଚିତ ଗୀତ ପରିବେଷଣ କରିଥିବାବେଳେ ଅନନ୍ତ କୁମାର ସାହୁ ସ୍ୱରଚିତ ସମ୍ବଲପୁରୀ ଗୀତ ଗାଇଥିଲେ । କବି ବିଜୟ ପ୍ରଧାନ ସମ୍ବଲପୁରୀ ଭାଷାର ବର୍ତ୍ତମାନ ସ୍ଥିତି ଉପରେ ଆଲୋଚନା କରି ଏହାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ କରି ସରକାରୀ ମାନ୍ୟତା ଦେବା ପାଇଁ ସମସ୍ତଙ୍କୁ ସଂଗଠିତ ଭାବେ ପ୍ରୟାସ କରିବାକୁ ଆହ୍ୱାନ କରିଥିଲେ । ସଭାପତି ସୁବୋଧ ପଣ୍ଡା ଗୁରୁ ବହିଦାର ଓ କବି ଖଗେଶ୍ୱର ସେଠଙ୍କ ରଚନା ଆବୃତ୍ତି କରି ଉପସ୍ଥିତ ଶ୍ରୋତାଙ୍କୁ ମୁଗ୍ଧ କରିଥିଲେ । ଆସନ୍ତା ବର୍ଷରୁ ସମ୍ବଲପୁରୀ ଦିନକୁ ଅଧିକ ବ୍ୟାପକ ଓ ଯୋଜନାବଦ୍ଧ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ନୃସିଂହନାଥ କଳା ପରିଷଦର ବରିଷ୍ଠ ସଭ୍ୟ ଚିତ୍ତରଞ୍ଜନ ସରାଫ, ବଡ ଶତପଥୀ, ଦେବେନ୍ଦ୍ର ସାହୁ, କିଶୋର ମିର୍ଦ୍ଧା, ସୌକିଲାଲ ସେଠ, କୁନୁ ତ୍ରିପାଠୀ, ଆଶିଷ ସାହୁ, ଟାଇଳଚନ୍ଦ୍ର ଭୋଇ, ମୋହନ ଜଗତ, ଦିଲ୍ଳୀପ ବେହେରାଙ୍କ ସମେତ ବହୁ ଭାଷାପ୍ରେମୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । ଶେଷରେ କଳା ପରିଷଦର ସଭାପତି ସୁବୋଧ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ ।

