jayashree

ସ୍କୁଟିକୁ ଧକ୍କା ଦେଇ କିଛି ଦୂର ଘୋଷାଡ଼ି ନେଲା ଟ୍ରକ : ଗୁରୁତର ଆହତ ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ମହାଦେବ ମନ୍ଦିର ଛକରେ ଘଟିଛି ଏକ ଭୟାବହ ସଡ଼କ ଦୁର୍ଘଟଣା । ଓଆର–୦୩–ବି–୬୦୮୮ ନମ୍ବର ବିଶିଷ୍ଟ ଏକ ଟ୍ରକ ଏକ ସ୍କୁଟିକୁ ଧକ୍କା ଦେବା ପରେ ସ୍କୁଟି ଆରୋହୀଙ୍କୁ କିଛି ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିବା ଅଭିଯୋଗ ହୋଇଛି । ଘଟଣା ପରେ ଟ୍ରକ ଚାଳକ ଫେରାର ହେବାକୁ ଉଦ୍ୟମ କରିଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ତତ୍ପରତା ଯୋଗୁଁ ଟ୍ରକଟିକୁ ଅଟକାଇ ପୋଲିସ ଜିମାରେ ଦିଆଯାଇଛି । ଦୁର୍ଘଟଣାରେ ଗୁରୁତର ଆହତ ସ୍କୁଟି ଚାଳକ ପ୍ରତାପ ଜେନାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ଘଟଣାର ସୂଚନା ପାଇ ବଲାଙ୍ଗିର ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିଥିବା ବେଳେ ଦୁର୍ଘଟଣାର ପ୍ରକୃତ କାରଣ ଏବଂ ଦାୟୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବା ପାଇଁ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.