
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅନ୍ତର୍ଗତ ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗନିଆଁପାଲି ପି.ଏମ୍.ଶ୍ରୀ ବୁଦ୍ଧଦେବ ସରକାରୀ ନୋଡାଲ ଉଚ୍ଚବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସାନନ୍ଦ ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଶିଶୁମାନଙ୍କୁ ଅନୁସନ୍ଧାନମୂଳକ ବୈଜ୍ଞାନିକ ଚିନ୍ତାଧାରା ଉପରେ ପ୍ରେରଣା ଦେଇ କୁନିକୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରସ୍ତୁତିବର୍ଗ, ଶିଶୁବର୍ଗ ଓ ବାଳବର୍ଗର ୮୦ଜଣ ଶିଶୁ ଭାଇଭଉଣୀ ଭାଗ ନେଇଥିଲେ । ବିଚାରକ ରୂପେ ଶ୍ରୀମାନ ସାନନ୍ଦ ମେହେର ଓ ସର୍ଗିବାହାଲ ଆଦିବାସୀ ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀମାନ ବିଦ୍ୟାଧର ବରିହା ଦାୟିତ୍ଵ ଗ୍ରହଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରମୋଦ କୁମାର ସାହୁ ପରିଚୟ ପ୍ରଦାନ କରିଥିବା ବେଳେ ପରିଚାଳନା ସମିତିର ସଭାପତି ସୁରେନ୍ଦ୍ର ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା ।