
ସାଲେଭଟା, (ସୁଶିଳ କୁମାର ମିଶ୍ର) : ସରକାରୀ ଚାକିରୀରୁ ଅବସର ନେବା ବୃତ୍ତିଗତ ଜୀବନରୁ ଅବ୍ୟାହତି ହୋଇପାରେ ମାତ୍ର ଅବକ୍ଷୟ ମୁଖୀ ସମାଜରେ ନବ ଚେତନା ସୃଷ୍ଟି ନିମନ୍ତେ ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିଥାଏ । ଦୀର୍ଘ ଦଶନ୍ଧିର ଅଭିଜ୍ଞତାକୁ ଉପଯୋଗ କରି ତୃଣମୂଳ ସ୍ତରୀୟ ସ୍ୱାସ୍ଥ୍ୟ ସେବାର ଜାଗ୍ରତ ପ୍ରହରୀ ରୂପେ କାର୍ଯ୍ୟ କରିସାରିଥିବାରୁ ଆଗାମୀ ପୀଢ଼ିକୁ ନୈତିକ ମୂଲ୍ୟଯୁକ୍ତ ଶିକ୍ଷା ଦେଇ ସୁସ୍ଥ ନିରାମୟ ସୁଦୀର୍ଘ ଜୀବନ ଯାତ୍ରା ନିମନ୍ତେ ପଥ ପ୍ରଦର୍ଶକର କାମ କରିପାରିବେ । ଏଣୁ ଅବସର ଭାବ ବିହ୍ୱଳିତ ହେବାର ମୁହୂର୍ତ୍ତ ହୋଇଥିଲେ ବି ପ୍ରେରଣାଦାୟୀ ଅଟେ ବୋଲି ମତପ୍ରକାଶ ପାଇଛି । ବଲାଙ୍ଗିର ଜିଲ୍ଲା ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ସାଲେଭଟାରେ କାର୍ଯ୍ୟରତ ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ଶ୍ରୀମତୀ ପାର୍ବତୀ ମୁଣ୍ଡା ଏବଂ ସେକ୍ଟର ସୁପରଭାଇଜର ରତ୍ନାକର ସାହୁଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଚିକିତ୍ସା ଅଧିକାରୀ ଡାକ୍ତର ସୋନାଲୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚିକିତ୍ସା ଅଧିକାରୀ (ଆୟୁଷ) ଡଃ. ମମତା ପ୍ରଧାନ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ । ପିକେଏସ ଫାଉଣ୍ଡେସନର ପ୍ରତିଷ୍ଠାତା ମୃତ୍ୟୁଞ୍ଜୟ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ରୋଥ ଉପକେନ୍ଦ୍ର ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଧରଣୀଧର ସାହୁଙ୍କ ଆବାହକତ୍ୱରେ ବେନ୍ଦ୍ରା ମେଡିକାଲ ଅଫିସର ଡଃ. ଅଭିନବ ମିଶ୍ର ଓ ଡଃ. ସ୍ମୃତିବାସ ମିଶ୍ର ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସୟଦ ମୁଖତାର ଅଲ୍ଲୀଙ୍କ ସଂଯୋଜନାରେ ସିଏଚ୍ଓ ସନ୍ନି ସୈରଭ କାଣ୍ଡଲୁନା, କୁନ୍ତୀ ବିଶ୍ୱାଳ, ତିଳୋତ୍ତମା ସାହୁ, କୁଟାସିଂହା ଉପକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ସନ୍ତୋଷିନୀ ଦାଶ, ନାରାୟଣ ଭୁଏ, ବେନ୍ଦ୍ରା ଉପକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ସୁରେନ୍ଦ୍ର କୁମାର ପଧାନ, କୌଶଲ୍ୟା ମିର୍ଦ୍ଧା ନିଜ ନିଜର ଅଭିଜ୍ଞତା କହିଥିବା ବେଳେ ଜ୍ୟୋସ୍ନାମୟୀ ମିଶ୍ର ଭାରତୀ ସାଗର, ନମିତା ମିର୍ଦ୍ଧା, ସରସ୍ଵତୀ ସେଠ୍ ପ୍ରମୁଖ ସହଯୋଗ କରିଥିଲେ ।