pr

ଲୁହାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରେମଚନ୍ଦ ଜୟନ୍ତୀ ପାଳିତ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲୁହାସିଂହା ପିଏମ୍ ଶ୍ରୀ ସର୍ବୋଦୟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପରିସରରେ ହିନ୍ଦୀ ସାହିତ୍ୟର କାଳଜୟୀ ଉପନ୍ୟାସକାର ତଥା ଗଳ୍ପସମ୍ରାଟ ମୁନସୀ ପ୍ରେମଚନ୍ଦଙ୍କ ଜୟନ୍ତୀ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ସଭାଗୃହରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ​ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଧର୍ମେନ୍ଦ୍ର ମହାଲିଙ୍ଗ ସଭାପତିତ୍ୱ କରି ଛାତ୍ରଛାତ୍ରୀମାନଙ୍କୁ ମୁନସୀ ପ୍ରେମଚନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଉପଦେଶ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଅଶ୍ୱିନୀ କୁମାର ଷଡଙ୍ଗୀ ପ୍ରାରମ୍ଭିକ ସୂଚନା ଦେବା ସହ ମୁନସୀ ପ୍ରେମଚନ୍ଦଙ୍କ ଜୀବନ ଆଦର୍ଶ, ତାଙ୍କର କାଳଜୟୀ ଉପନ୍ୟାସ ‘ଗୋଦାନ’, ‘ଗବନ୍’, ‘କର୍ମଭୂମି’ ଏବଂ ଶ୍ରେଷ୍ଠ ଗଳ୍ପଗୁଡ଼ିକ ଉପରେ ଆଲୋକପାତ କରିଥିଲେ । ଶିକ୍ଷାର୍ଥୀମାନଙ୍କୁ ସାହିତ୍ୟ ପ୍ରତି ଆକୃଷ୍ଟ କରିବା ପାଇଁ ପ୍ରେମଚନ୍ଦଙ୍କ ସାହିତ୍ୟର ଗୁରୁତ୍ୱ ସମ୍ପର୍କରେ ସେ ସବିଶେଷ ଆଲୋଚନା କରିଥିଲେ । ​ଏହି ସଭାରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ମୁନସୀ ପ୍ରେମଚନ୍ଦଙ୍କ ଜୀବନୀ ଓ ସାହିତ୍ୟିକ କୃତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମଞ୍ଚାସୀନ ବରିଷ୍ଠ ଶିକ୍ଷୟିତ୍ରୀ ରୀତା ତ୍ରିପାଠୀ, ମନୀଷା ଷଡଙ୍ଗୀ, ସୋନାଲି ପଟ୍ଟନାୟକ, ଅମର କୁମାର ସାହୁ, ସୁଭାଶିଷ ଭୋଇ, ଭାରତୀ ମହାନନ୍ଦ, ଜଗବନ୍ଧୁ ମେହେର, ବସନ୍ତ ସୁନା, ଉମେଶ ଚନ୍ଦ୍ର ବଢେଇ, ରାକେଶ ସାହୁ, ଡ଼ୋଲାମଣୀ ମେହେର, ଶ୍ରୀକାନ୍ତ ପଧାନ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ସାହିତ୍ୟ ସାଧନା ଓ ନୈତିକ ମୂଲ୍ୟବୋଧ ବିଷୟରେ ମାର୍ଗଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଶେଷରେ ଶିକ୍ଷକ ନବ କୃଷ୍ଣ ଦେବତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.