
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ଲଗାଣ ବର୍ଷା ଓ ବନ୍ୟାଜଳ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ଗୁଡ଼ିକର ସ୍ଥିତି ପରଖିବା ପାଇଁ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଆଜି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଝଲପ ପଞ୍ଚାୟତର ମମିଆ ଓ ସାଲେବରଟ, ଭୁସଲାଡ଼ ପଞ୍ଚାୟତର ଭୁଷଲାଡ଼, ପରୁଆଭାଡ଼ି, ସିନ୍ଧେକେଲା ପଞ୍ଚାୟତ ପୁଟୁପଡ଼ା, ତେଲସରାଇ ଓ ଭତାସର ଗ୍ରାମ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ସେ ବନ୍ୟା ପ୍ରଭାବିତ ପରିବାରମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଶୁଣିବା ସହ ଘରବାଡ଼ି, ଚାଷଜମି ଏବଂ ଗ୍ରାମୀଣ ରାସ୍ତାଘାଟର ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିଥିଲେ । ସମ୍ପୃକ୍ତ ଅଧିକାରୀମାନଙ୍କୁ କ୍ଷତିର ସଠିକ୍ ଆକଳନ କରି ଶୀଘ୍ର ରିଲିଫ୍ ଓ ସରକାରୀ ସହାୟତା ପ୍ରଦାନ କରିବା ସହ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ବିଧାୟକ ଶ୍ରୀ ବାଗ କହିଥିଲେ ଯେ, ବନ୍ୟା ପ୍ରଭାବିତ ଲୋକଙ୍କ ସହ ସରକାର ସବୁବେଳେ ରହିଛନ୍ତି ଏବଂ କୌଣସି ପ୍ରଭାବିତ ପରିବାର ସରକାରୀ ସହାୟତାରୁ ବଞ୍ଚିତ ହେବେ ନାହିଁ । ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଥିବା ସେ ପ୍ରକାଶ କରିଥିଲେ । ତାଙ୍କ ସହ ବଙ୍ଗୋମୁଣ୍ଡା ତହସିଲଦାର ଜ୍ୟୋତ୍ସ୍ନା ମାଝୀ, ବଙ୍ଗୋମୁଣ୍ଡା ବିଡ଼ିଓ ନିତୁଶ୍ରୀ ମେହେର, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଭୋଳାନାଥ ବେହେରାଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।