
- ସାଲେପାଲି କୃଷ୍ଣମୁହାଣ ସେତୁ ଉପରେ ପାଣି
ଦେଓଗାଁ, (ମନୀଷ କୁମାର ସାହୁ) : ଦିନକରେ ୧୫୦ ମି.ମି. ବର୍ଷା ପରେ ଦେଓଗାଁ ବ୍ଲକର ବିଭିନ୍ନ ଅଞ୍ଚଳର ରାସ୍ତା ଘାଟ, ଚାଷ ଜମି, ନଦୀ ନାଳ ସବୁଆଡେ ଭରପୂର ପାଣି ରହିଛି । ମଙ୍ଗଳବାର ରାତିସାରା ବର୍ଷା ପରେ ବୁଧବାର ସକାଳେ ଦେଓଗାଁ ସୋନଗଡ ନଦୀରେ ପ୍ରବଳ ପାଣି ମାଡ଼ି ଆସିଥିଲା । ଦିନ ତମାମ ନଦୀରେ ପାଣି ବଢ଼ି ହୋଇ ରହିଥିବା ବେଳେ ଚାଷ ଜମି ସବୁଆଡେ ଜଳମଗ୍ନ ହୋଇଯାଇଥିଲା । ସେହିପରି ସାଲେପାଲି କୃଷ୍ଣମୁହାଣ ସେତୁର ରାସ୍ତା ଉପରେ ପାଣି ଅତିବାହିତ ହେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଲଣ୍ଡାପଥର ଡାହିମାଲ ରାସ୍ତାରେ ବିଶାଳ ଗଛ ପଡ଼ିଥିବାରୁ ଅଗ୍ନିଶମ ବିଭାଗ କର୍ମଚାରୀମାନଙ୍କ ମଧ୍ୟରେ ପ୍ରଦୀପ ଭୋଇ, ମୋହନ ଶାମଲ, ବିକ୍ରମ ରାଉତ, ତେଜରାଜ୍ ସାହୁ, ତରଣୀ ନାଏକ, ପୁରନ୍ଦର ମେହେର ପ୍ରମୁଖ ଯୋଗ ଦେଇ ରାସ୍ତା ସଫା କରିଥିଲେ । ଦେଓଗାଁ ବ୍ଲକ ରାସ୍ତାରେ ଥିବା ରେଲୱେ ଅଣ୍ଡର ପାସ ପୋଲ ତଳେ ୪ରୁ ୫ଫୁଟ ପାଣି ଥିବାରୁ ବ୍ଲକ୍ କାର୍ଯ୍ୟାଳୟକୁ ଯିବାକୁ ଆସୁଥିବା ହିତାଧିକାରୀମାନଙ୍କ ସହ ସରକାରୀ କର୍ମଚାରୀମାନେ ମଧ୍ୟ ଯିବା ଆସିବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହାସହ ବୁଧବାର ଜରାସିଂହା ବୁଢୀଆଈ ଯାତ୍ରା ଥିବାରୁ ଶ୍ରଦ୍ଧାଳୁମାନେ ମଧ୍ୟ ଯାତ୍ରା ସ୍ଥଳକୁ ଯିବା ପାଇଁ ଅସୁବିଧା ହେବାରୁ ବହୁ ଶ୍ରଦ୍ଧାଳୁ ତୁଷୁରା ଦେଇ ଜରାସିଂହାକୁ ଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ସେହିପରି କୁତୁର୍ଲା ପଞ୍ଚାୟତ ମୁରସିଂହ ଗାଁରେ ଡ୍ରେନେଜ ବ୍ୟବସ୍ଥା ସଠିକ୍ ଭାବେ ନ ଥିବାରୁ ଗାଁ ଦାଣ୍ଡରେ ୩ରୁ ୪ ଫୁଟ ପାଣି ଲହଡ଼ି ମାରୁଥିବାରୁ ଗ୍ରାମବାସୀ ବହୁ ଅସୁବିଧା ଭୋଗୁଛନ୍ତି ।