
- ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ ଓ ନୀଳାଦ୍ରି ବିଜେ
ରାଉରକେଲା, (ସସ୍ମିତା ପ୍ରଧାନ) : ସରିଛି ରଥଯାତ୍ରା ଓ ବାହୁଡା ଯାତ୍ରା । ମହାପ୍ରଭୁ ଜନ୍ମବେଦୀରୁ ଫେରିଛନ୍ତି ରତ୍ନବେଦୀକୁ । ଏଭଳି କାର୍ଯ୍ୟକ୍ରମକୁ ଅତି ସୁନ୍ଦର ଭାବେ ଆୟୋଜିତ କରିଛି କୋଏଲ ନଗର ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ଓ ବାବା ଆଖଣ୍ଡଳମଣି ମନ୍ଦିର ଟ୍ରଷ୍ଟ । ତେବେ ବାହୁଡ଼ା ଯାତ୍ରାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ୪ ଦିନବ୍ୟାପୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରି ବେଶ୍ ପ୍ରଶଂସା ସାଉଣ୍ଟିଛି ମନ୍ଦିର ଟ୍ରଷ୍ଟ । ଏହି କ୍ରମରେ ବାହୁଡ଼ା ଯାତ୍ରାରେ ଅତିରିକ୍ତ ଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକ ଠାକୁର ରାଜା ଦାୟିତ୍ଵ ତୁଳାଇଥିଲେ । ଗତ ୨୪ ତାରିଖ ଦିନ ସ୍ୱରବ୍ରହ୍ମ ଦ୍ୱାରା ଭଜନ ପରିବେଷଣ,୨୫ ତାରିଖ ଦିନ ବ୍ୟାପି ଡ୍ୟାନ୍ସ ଗୃପ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା । ୨୬ ତାରିଖ ଦିନ ପ୍ରସିଦ୍ଧ ସଂଗୀତକାର ସିଦ୍ଧାର୍ଥ ମିଶ୍ର ଓ ସାଥୀଙ୍କ ଦ୍ଵାରା ତଥା ସ୍ଥାନୀୟ କଳାକାରଙ୍କ ମଧ୍ୟରେ ରାଜଲକ୍ଷ୍ମୀ କବି, ସୁନିତା ବିଶ୍ୱାଳ ଓ ସାଇଶ୍ରିତା ପ୍ରମୁଖ ଭଜନ ପରିବେଷଣ କରିଥିଲେ । ୨୭ ତାରିଖ ଦିନ ଶ୍ରୀସାଇକଳା ପରିଷଦ ଦ୍ୱାରା ଗୀତିନାଟ୍ୟ ଲକ୍ଷ୍ମୀନାରାୟଣ ଅଳିକଳି ପରେ ଶ୍ରୀଜିଉମାନଙ୍କର ରତ୍ନବେଦୀରେ ବିଜେ କରାଯାଇଥିଲା । ଏହି ଗୀତିନାଟ୍ୟରେ ବାପି ପଲେଇ ଓ ତାଙ୍କ ସାଥୀ ମାନଙ୍କ ଦ୍ଵାରା ଅଭିନୟ କରାଯାଇଥିଲା । ଏହି ଅବସରରେ ମ୍ୟାନେଜିଂ ଟ୍ରଷ୍ଟି ଇଂ ଆଲୋକ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତା ଓ ଟ୍ରଷ୍ଟି ବ୍ରଜେନ୍ଦ୍ର ଦାଶଙ୍କ ସଂଯୋଜନାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଇଜିଏଚ୍ର ନିର୍ଦ୍ଦେଶକ ଡାକ୍ତର ଜୟନ୍ତ ଆଚାର୍ଯ୍ୟ, ଆର୍ଏସ୍ପି ପ୍ରାକ୍ତନ ମହାପ୍ରବନ୍ଧକ ତଥା ରଶ୍ମି ଗୃପର ଉପଦେଷ୍ଟା ପ୍ରଦୀପ କୁମାର ସାହୁ ଓ ଝିରପାଣି ଥାନା ପ୍ରଭାରୀ ପ୍ରଭାତୀ ମଞ୍ଜରୀ ସାହୁ ତଥା ୨୫ ବର୍ଷର ପୂର୍ତ୍ତି ଉପଲକ୍ଷେ ଦଇତାପତି ରବିନ୍ଦ୍ରନାଥ ହୋତା, ତୁଷାରକାନ୍ତ ସାହୁ ଓ ରାଜେଶ ମହାନ୍ତିଙ୍କୁ ଉପଢୌକନ, ସ୍ମୃତି ଫଳକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହଯୋଗୀ ସଂଗଠନ ପୁଷ୍ପାଞ୍ଜଳି ପରିବାର ତରଫରୁ ବରିଷ୍ଠ କର୍ମକର୍ତ୍ତା ଦିଗନ୍ତ ପାଣି ସର୍ବଶ୍ରୀ ବିଜୟ ଭୂଷଣ ରଥ, ଆଲୋକ ରଂଜନ ମଲ୍ଲିକ, ବ୍ରଜେନ୍ଦ୍ର ଦାଶ, ତୁଷାରକାନ୍ତ ସାହୁ, ଝିରପାଣି ଥାନା ପ୍ରଭାରୀ ପ୍ରଭାତୀ ମଞ୍ଜରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ସ୍ୱତନ୍ତ୍ର ଭାବେ ନ୍ୟାସା ଅଗ୍ରୱାଲଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଟ୍ରଷ୍ଟକୁ ଗୋପବନ୍ଧୁ କାନୁନଗୋ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଡିଭାଇନ ଲାଇଫ ଏକାଡେମୀ, ଭାରତ ସ୍କାଉଟ ଆଣ୍ଡ ଗାଇଡ, ବିଶ୍ୱ ହିନ୍ଦୁ ପରିଷଦ, ପୁଷ୍ପାଞ୍ଜଳି ପରିବାରଙ୍କ ସମେତ ଟ୍ରଷ୍ଟି ଅମୂଲ୍ୟ ମିଶ୍ର, ମନୋଜ କୁମାର ପଣ୍ଡା, ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସମସ୍ତଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା । ସ୍ଥାନୀୟ ଅଞ୍ଚଳର ସହସ୍ରାଧିକ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।